ଝାରସୁଗୁଡା: ଚିକିତ୍ସାରେ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ। ଏହାକୁ ନେଇ ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାରସ୍ଥିତ ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚଳାଇବା ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ତେଜନା । ଠିକ୍ ସମୟରେ ଚିକିତ୍ସା କରାଯାଇ ନଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ 20 ତାରିଖରେ ଜଣେ ୧୧ ମାସର ଶିଶୁ ଦେହରେ ଗରମ ଡାଲି ପଡିଯିବାରୁ, ତାକୁ ଗୁରୁତର ଅବସ୍ଥାରେ ମଙ୍ଗଳବଜାର ସ୍ଥିତ ପୁରାତନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ସୁବିଧା ନଥିବାରୁ ଶିଶୁକୁ ବାଲିଜୋରି ସ୍ଥିତ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ମାତ୍ର ଆଜି ଶିଶୁଟିର ମୃତ୍ୟୁ ହେବା ପରେ ମଙ୍ଗଳବଜାର ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରି ସ୍ଥାନୀୟ ଲୋକେ ଡାକ୍ତରଖାନା ପରିସରେ ହୋ ହାଲ୍ଲା କରିଛନ୍ତି। ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ