ଝାରସୁଗୁଡା: ରାଜନୀତି ଘଣାରେ ପିସି ହେଉଛନ୍ତି ଝାରସୁଗୁଡ଼ା ପୌରାଞ୍ଚଳର ୩ଟି ୱର୍ଡ ବାସିନ୍ଦା । ଆଗକୁ ବର୍ଷା ଦିନ କିନ୍ତୁ, ସଫା ହେଉନାହିଁ ୩ଟି ୱର୍ଡର ନାଳନର୍ଦ୍ଦମା । ମାସ ମାସ ଧରି ପଡ଼ିରହିଛି ଅଳିଆ ଆବର୍ଜନା ଏବଂ ପୋତି ହୋଇଛି ନାଳ । ପୌର ପରିଷଦ ପକ୍ଷରୁ ସଫେଇ କରିବା ପାଇଁ କାହାରି ଦେଖାନାହିଁ । ଅଳିଆ ଆବର୍ଜନା ପଡ଼ିରହିଥିବାରୁ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହାସହିତ ତାଙ୍କର ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି ପୌରପରିଷଦ ବୋଲି କହିଛନ୍ତି ଅଞ୍ଚଳବାସୀ ।
ଆଉ କିଛି ଦିନ ପରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ପକ୍ଷରୁ ପୌରାଞ୍ଚଳର ନାଳ ନର୍ଦ୍ଦମାର ପୂନଃ ଉଦ୍ଧାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ୱାର୍ଡ ନଂ ୩, ୧୩ ଏବଂ ୧୯ରେ ବିଜେପି ଦଳର କାଉନସିଲର ରହିଛନ୍ତି ଏବଂ ପୌରାଧ୍ୟକ୍ଷ ଆସନରେ ବିଜେଡି ପ୍ରାର୍ଥୀ ରହିଛନ୍ତି । ରାଜନେତା ଏବଂ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଜନତା ହଟହଟା ହେଉଥିବା କହିଛନ୍ତି ଉକ୍ତ ଓ୍ବାର୍ଡର କାଉନସିଲର । ତେବେ ରାଜନୈତିକ ଘଣାରେ ପିସି ହେଉଛନ୍ତି ଏହି ତିନି ୱାର୍ଡର ବାସିନ୍ଦା ।
ହେଲେ ଏହାକୁ ଖଣ୍ଡନ କରିଛନ୍ତି ଝାରସୁଗୁଡ଼ା ପୌରପରିଷଦର ଉପାଧ୍ୟକ୍ଷ ରାଜୁ ପାଣିଗ୍ରାହୀ । ସେ କହିଛନ୍ତି, ''ଏହା ହିନ ରାଜନୀତି । ନିଜର ରାଜନୀତି ଉଦ୍ଦେଶ୍ୟର ସିଦ୍ଧି ନିମନ୍ତେ ଏଭଳି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳର କାଉନସିଲର ।'' ଅନ୍ୟପଟେ ସମସ୍ତ ୱାର୍ଡରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ଝାରସୁଗୁଡ଼ା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା