ଝାରସୁଗୁଡା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପଲିଗ୍ରାଫ ରିପୋର୍ଟରେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ଅବସ୍ଥା ଭଲ ଥିବା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । କିନ୍ତୁ ପୂର୍ବରୁ ସେ ମାନସିକ ସ୍ତରରେ ଅସୁସ୍ଥ ଥିବାର ମଧ୍ୟ ପ୍ରମାଣ ଅଛି । କିଛି ବର୍ଷ ପୂର୍ବେ ସେ ଛୁଟିରେ ଥିବାବେଳେ ମାନସିକ ଅବସ୍ଥା ଠିକ୍ ନଥିବା ଦର୍ଶାଇ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦାଖଲ କରିଥିଲା ବୋଲି ଅଭିଯୁକ୍ତର ଓକଲି କହିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୩-୧୪ରେ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଛୁଟିରେ ଥିଲା ଗୋପାଳ । ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବାରୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୟରେ ତା'ର ମାନସିକ ଅବସ୍ଥା ଠିକ ନଥିବାରୁ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉନଥିବା ଗୋପାଳ କହିଥିଲା । ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ ସେ ସ୍ବାସ୍ଥ୍ୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲା । ତେଣୁ ଏହାକୁ ଆଧାର କରି ତା'ର ମାନସିକ ଅବସ୍ଥା ଯାଞ୍ଚ ହୋଇଥିଲା । ଯାହାକି କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ରେ ଉଲ୍ଲେଖ ରହିଛି । ସେହିପରି ଅଭିଯୁକ୍ତର ମାନସିକ ଅବସ୍ଥା ଏବେ ଠିକ୍ ଥିବା ପଲିଗ୍ରାଫ୍ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।
ଅଭିଯୁକ୍ତର ଓକିଲ କହିଛନ୍ତି, "ଗୋପାଳ ଦାସ ପୂର୍ବରୁ ମାନସିକ ଭାବେ ଅସୁସ୍ଥ ଥିବା ନେଇ ପ୍ରମାଣ ଅଛି । ଏନେଇ ସେ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦାଖଲ କରିଥିଲା । ହେଲେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଓ ପଲିଗ୍ରାଫ ରିପୋର୍ଟରେ ବର୍ତ୍ତମାନ ଗୋପାଳର ମାନସିକ ସ୍ଥିତ ଠିକ୍ ଥିବା ଉଲ୍ଲେଖ କରାଯାଇଛି । ତେଣୁ ମାନସିକ ଭାବେ ଅସୁସ୍ଥ ଥିବାବେଳେ ଗୋପାଳ ଏହି ଅପରାଧ ଘଟାଇଛି କି ନାହିଁ ତାହା ଟ୍ରାଏଲ ବେଳେ ଜଣାପଡିବ ।"
ଏହାମଧ୍ୟ ପଢନ୍ତୁ: Naba Das Murder Case: ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଗୋପାଳକୁ ଡରାଇଥିଲେ ମନୋଜ !
ପଲିଗ୍ରାଫ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସର ବର୍ତ୍ତମାନ କୌଣସି ସକ୍ରିୟ ସାଇକୋପାଥୋଲୋଜି ଜଣାପଡ଼ି ନଥିବା ବେଳେ ତଥାପି ଚୂଡ଼ାନ୍ତ ମତ ପାଇଁ ତା'ର ବିସ୍ତୃତ ଦ୍ରାଘିମା ମୂଲ୍ୟାଙ୍କନ, ସାଇକୋମେଟ୍ରି, ରେଡିଓମେଜିଂ ଅଧ୍ୟୟନ, ଇଇଜି ଏବଂ ଆନ୍ତବିଭାଗୀୟ ପରାମର୍ଶ ଆବଶ୍ୟକ ରହିଛି । ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ବିସ୍ତୃତ ଅନୁସନ୍ଧାନ ଏବଂ ଅନ୍ୟାନ୍ୟ ଆବଶ୍ୟକ ପରୀକ୍ଷା ପାଇଁ ଅଭିଯୁକ୍ତଙ୍କୁ ପଠାଯିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।
ନବ ଦାସଙ୍କ ହତ୍ୟା ପରେ ଗୋପାଳର ସ୍ତ୍ରୀ ଓ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିଥିଲା, ଯେଉଁଥିରେ ଦୁହେଁ ଗଣମାଧ୍ୟମ ସମ୍ମୁଖରେ ଅଭିଯୁକ୍ତ ବାଇପୋଲାର ଡିସ୍ଅର୍ଡର ନାମକ ରୋଗରେ ପୀଡ଼ିତ ଥିବା ମନ୍ତବ୍ୟ ରଖିଥିଲେ । ଏହାକୁ ଆଧାର କରି ଅଭିଯୁକ୍ତର ମାନସିକ ଅବସ୍ଥା ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଇଟିଭି ଭାରତ, ଝାରସୁଗୁଡା