ଝାରସୁଗୁଡ଼ା: IAS ହୋଇ ଝାରସୁଗୁଡ଼କୁ ଗର୍ବିତ କଲେ ଡ.ରୀନା ପ୍ରଧାନ । ଝାରସୁଗୁଡ଼ା ସରବାହାଲ ଠାରେ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନ ଓ ଭାଇଙ୍କ ସହ ରହୁଥିବା ଡା. ରୀନା ପ୍ରଧାନ ଗତ ୨୦୧୯ ମସିହାରୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ମାନମସି ଗାଁ ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ।
ତାଙ୍କ ପ୍ରାଥମିକ ଶିକ୍ଷା ଝାରସୁଗୁଡ଼ା ସରବାହାଲ ୟୁଜିଏମଇ ସ୍କୁଲ ଓ ହାଇସ୍କୁଲ ଶିକ୍ଷା ଝାରସୁଗୁଡ଼ା ସରକାରୀ ହାଇସ୍କୁଲରେ ପରେ ଝାରସୁଗୁଡ଼ା ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଭିମସାର ବୁର୍ଲାରେ ଏମବିବିଏସ ଶିକ୍ଷା ଲାଭ କରି ସେ ୨୦୧୯ ମସିହାରେ ଡାକ୍ତରୀ ସେବାରେ ଯୋଗ ଦେଇଥିଲେ। ପୂର୍ବରୁ ଦୁଇ ଥର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପ୍ରୟାସ କରିଥିଲେ। ମାତ୍ର ସଫଳତା ପାଇ ପାରି ନଥିଲେ। ତୃତୀୟ ଥର ଲାଗି ପ୍ରୟାସ କରି ୨୦୨୦ ସିଭିଲ ସର୍ଭିସ ପରୀକ୍ଷାରେ ୧୯୪ ରାଙ୍କରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ରୀନା ।

ପିତା ଧରଣୀଧର ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଳକରେ ଅତିରିକ୍ତ ବିଡିଓ ଭାବେ ନିକଟରେ ଅବସର ଗ୍ରହଣ କରିଛନ୍ତି। ଝିଅର ସଫଳତାକୁ ନେଇ ସେ ବେଶ ଖୁସି ଜାହିର କରିଛନ୍ତି। ସେ ଝିଅକୁ ଆରମ୍ଭରୁ ସିଭିଲ ସର୍ଭିସ ପରୀକ୍ଷାରେ ଭାଗ ନେବାକୁ ପ୍ରୋତ୍ସାହିତ କରି ଆସିଥିଲେ । ବୁର୍ଲା ଭିମସାରରେ ଏମସିବିଏସ୍ରେ ଉତ୍ତୀର୍ଣ୍ଣ ହେବା ପରେ ୨୦୧୮ରେ ୬ ମାସ ଲାଗି ଦିଲ୍ଲୀରେ ରହି କିଛି ପ୍ରସ୍ତୁତି ହେଉଥିଲେ। ତେବେ ଏଭଳି ସଫଳତାର ଶ୍ରେୟ ଭଗବାନଙ୍କ ଆଶୀର୍ବାଦ, ମାତାପିତାଙ୍କ ପ୍ରୋତ୍ସାହନ ଏବଂ ଭାଇ ଓ ସାଙ୍ଗସାଥୀଙ୍କ ସହଯୋଗକୁ ସେ ଦେଇଛନ୍ତି।
ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଅନେକ ଚ୍ୟାଲେଞ୍ଜ ରହିଛି । ସେ ଆଗକୁ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଭଳି ମୌଳିକ ସେବା କ୍ଷେତ୍ରରେ ସମାଜର ଗରିବ ଲୋକଙ୍କୁ କିଭଳି ଭଲ ସେବା ଦେଇ ପାରିବେ ସେ ଦିଗରେ ଅଧିକ ଫୋକସ କରିବେ ବୋଲି କହିଛନ୍ତି । ସେ ଓଡ଼ିଶା କ୍ୟାଡର ହୋଇଥିବାରୁ ଆଗକୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ଅଧିକ ପ୍ରାଧାନ୍ୟ ଦେବେ ।
ଜଣେ ଆଇଏଏସ୍ ହେବା ଲାଗି ଯେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢିଥିବା ଜରୁରୀ, ତାହା ନୁହେଁ ବରଂ ଓଡ଼ିଆ ମାଧ୍ୟମର ହୋଇ ବି ଇଂରାଜୀ ଭାଷା ଉପରେ ଅଧିକ ଅଧ୍ୟୟନ ରଖି ପ୍ରସ୍ତୁତି କଲେ ସଫଳତା ପାଇବା ନିଶ୍ଚିତ । ଯାହାକି ତାଙ୍କ ଜୀବନରେ ଘଟିଛି। ମହାମାରୀ ଭଳି କୋରୋନା ସଂକଟ କାଳରେ ଚାକିରୀରେ ଥାଇ ଆଇଏଏସ୍ ଲାଗି ପ୍ରସ୍ତୁତି ଏକ ଆହ୍ଵାନ ଥିଲେ ମଧ୍ୟ ସେ ସଫଳତା ଅର୍ଜନ କରିଥିବାରୁ ଖୁସି ଜାହିର କରିଛନ୍ତି । ଝାରସୁଗୁଡ଼ା ମାଟି ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଥିବା ଡା. ରୀନାଙ୍କ ପ୍ରତି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ