ଝାରସୁଗୁଡ଼ା: ଜିଲ୍ଲାରେ କନ୍ୟା ଭୃଣହତ୍ୟା ନିଷେଧ କରିବା ସହ ଲିଙ୍ଗ ନିରୂପଣ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପି.ସି.ପି.ଏନ.ଡି.ଟି (Pre-Conception and Pre-Natal Diagnostic Techniques) ଜିଲ୍ଲା ଉପଦେଷ୍ଟା କମିଟି ବୈଠକରେ ଏନେଇ ଆଲୋଚନା କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସାମଲ ।
ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ପି.ସି.ପି.ଏନ.ଡି.ଟି (Pre-Conception and Pre-Natal Diagnostic Techniques) ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ହେଉଥିବା କନ୍ୟା ଭୃଣହତ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଜିଲ୍ଲାପାଳ । ଏଭଳି ପାପକୁ ଜିଲ୍ଲାରେ ନିଷେଧ କରିବା ସହ ଲିଙ୍ଗ ନିରୂପଣ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟଙ୍କ ସହାୟତା ଲୋଡ଼ିଥିଲେ ଜିଲ୍ଲାପାଳ । ଏହା ସହିତ ଯଦି କୌଣସି ଅଲଟ୍ରାସାଉଣ୍ଡ ୟୁନିଟରେ ଲିଙ୍ଗ ନିରୂପଣ ହେବାର ସୂଚନା ମିଳେ ତେବେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖି ତାଙ୍କୁ ୨୫୦୦୦ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ପି.ସି.ପି.ଏନ.ଡି.ଟି ଆଇନ (Pre-Conception and Pre-Natal Diagnostic Techniques Act) ଅନୁଯାୟୀ ପଞ୍ଜୀକରଣ ଓ ନବୀକରଣ ଆବେଦନ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ପି.ସି.ପି.ଏନ.ଡି.ଟି ଅଭିଯୋଗ ପରିଚାଳନା ତ୍ଵରାନ୍ବିତ କରିବା ଓ ଜିଲ୍ଲାର ଯେଉଁ ସ୍ଥାନରେ ଲିଙ୍ଗ ଅନୁପାତ କମ ଅଛି ସେହି ସ୍ଥାନରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥିବା ଅଭିଯୋଗ ବାକ୍ସ ଓ ଦେୟମୁକ୍ତ ନମ୍ବର ଜରିଆରେ ସୂଚନା ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଛି । ଝିଅ ମାନଙ୍କ ଅଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ଆଗକୁ ଆଗେଇ ଆସିବା ସହ ଲିଙ୍ଗ ନିରୂପଣରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡ ଦେବାରେ ସହାୟତା କରିବା ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଉକ୍ତ ବୈଠକରେ ସିଡିଏମଓ, ଏଡିଏମଓ ଏବଂ ଜିଲ୍ଲା ଉପଦେଷ୍ଟା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା