ଝାରସୁଗୁଡା: ରେଳବାଇ ଠିକାଦାରଙ୍କ ଦାଦାଗିରି । ଜମୁଆ ଡୁଙ୍ଗୁରି ପରେ ଏବେ ସିଂଘାବଗା ରିଜର୍ଭର ଭିତରୁ ଚାଲିଛି ମାଟି ଚୋରା କାରବାର । ପ୍ରଶାସନର ନାକ ତଳେ ଚୋରି ହେଉଛି ପ୍ରାକୃତିକ ସମ୍ପଦ । ଜମୁଆ ଡୁଙ୍ଗୁରିରୁ ମାଟି ଏବଂ ମୋରମ ଚାଲାଣ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏବେ ସିଂଘାବଗା ରିଜର୍ଭର ଭିତରୁ ରେଳବାଇ ଠିକାଦାର ମାଟି ଚୋରା କାରବାର କରୁଥିବା ଘଟଣା ସାମ୍ନାକୁ ଆସିଛି ।
ଦୀର୍ଘ ଦିନ ଧରି ଜମୁଆ ଡୁଙ୍ଗୁରି ଠାରେ ବେଆଇନ ଭାବେ ମାଟି ଖନନ କରି ରେଳବାଇ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ନେଇ ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ତହସିଲଦାର ଜମୁଆ ଡୁଙ୍ଗୁରିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ତହସିଲଦାରଙ୍କ ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ଠିକାଦାରଙ୍କୁ ରୟାଲ୍ଟି ଓ ପେନାଲ୍ଟି କରାଯାଇ ବେଆଇନ ମାଟି ଖନନ ଓ ମୋରମ ଚାଲାଣ ରୋକିବାରେ ସକ୍ଷମ ହୋଇଥିଲା ପ୍ରଶାସନ । ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ବର୍ତ୍ତମାନ ସିଂଘାବଗା ରିଜର୍ଭରୁ ମାଟି ଚୋରା ଚାଲାଣ କରାଯାଉଛି । ଏନେଇ ଘଟଣାସ୍ଥଳରୁ ଠିକାଦାରଙ୍କ କିଛି ଗାଡି ଜବତ କରାଯିବା ସହିତ ୨୮ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ତହସିଲଦାର ।
ପ୍ରକାଶ ଥାଉକି, ଝାରସୁଗୁଡାରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ କାର୍ଯ୍ୟ । ଠିକାଦାରମାନଙ୍କ ମନମୁଖୀ କାର୍ଯ୍ୟରେ ସିଧାସଳଖ ପ୍ରଭାବିତ ହେଉଛି ପରିବେଶ । ବନ ବିଭାଗ ଓ ପୋଲିସର ନାକ ତଳେ ହେଉଛି ଜଙ୍ଗଲ କାଟ୍ ଏବଂ ବେଆଇନ ମୋରମ ଚାଲାଣ । ତେବେ ବିଗତ ୬ ମାସ ଧରି ସମ୍ପୃକ୍ତ ଠିକାଦାର ଜାମୁଆ ଡୁଙ୍ଗୁରିରୁ ବେଆଇନ ଭାବରେ ମାଟି ଖନନ କରିଥିଲେ । ଯାହାଫଳର ଏଠାରେ ୫ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଗାଡିଆ ପାଲଟିସାରିଛି ।
ସ୍ଥାନୀୟ ଗ୍ରାମବାସୀ ଏହି ବେଆଇନ ମୋରମ ଚାଲାଣ ଦିଗରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ବନ ବିଭାଗ ଏହା ରେଭିନ୍ୟୁ ଡିପାର୍ଟମେଣ୍ଟ କାମ ବୋଲି କହି ଚୁପ ବସି ଥିବାବେଳେ ରେଭିନ୍ୟୁ ଡିପାର୍ଟମେଣ୍ଟ ବନ ବିଭାଗର କାର୍ଯ୍ୟ ବୋଲି କହି ଅବହେଳା କରିବା ସହ ପରସ୍ପରକୁ ଦୋଷାରୋପ କରିଥିଲେ ।
ଇଟିଭି ଭାରତ, ଝାରସୁଗୁଡା