ଝାରସୁଗୁଡା: ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ(AITT ) ଟପ୍ପର ହେଲେ ହୀରାକୁଦ ITI ଛାତ୍ର ବୀରେନ୍ଦ୍ର ସେଠ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହୀରାକୁଦ ସରକାରୀ ITI ଛାତ୍ର ବୀରେନ୍ଦ୍ର ସେଠ ମେସିନିଷ୍ଟ ଟ୍ରେଡ ଓ ବ୍ରହ୍ମପୁର ITI ଛାତ୍ର ସାଇଚରଣ ଦାଶ ମେକାନିକ ମୋଟର ଭେହିକିଲ ଟ୍ରେଡରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ।
![ଏଆଇଟିଟି ପରୀକ୍ଷାରେ ଟପ୍ପର ହେଲେ ହୀରାକୁଦ ଆଇଟିଆଇ ଛାତ୍ର](https://etvbharatimages.akamaized.net/etvbharat/prod-images/od-jsg-student-topper_05062021080404_0506f_1622860444_224.jpg)
ଗତ ବର୍ଷ କୋରୋନା ଯୋଗୁଁ ଆଇଟିଆଇ ଶେଷ ବର୍ଷ ପରୀକ୍ଷା ଯଥା ସମୟରେ ହୋଇ ପାରିନଥିଲା । ହେଲେ ଗତ ଫେବୃୟାରୀ ମାସରେ AITT ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯାଇଥିଲା । ନିକଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୫ ଲକ୍ଷ ୪୧ ହଜାର ୧୨୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୭୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ବୀରେନ୍ଦ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମହାମାରୀ କୋରୋନା ଭଳି କଠିନ ପରିସ୍ଥିତିରେ ନିଜ ପରିଶ୍ରମ ଓ ବାପା ମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ପାଇଛନ୍ତି । ବୀରେନ୍ଦ୍ର ଏଠାକାର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ପୁଅ । ତାଙ୍କ ବାପା ଝାରସୁଗୁଡ଼ା ବେଲପାହାଡ଼ର ଟିଆରଏଲ କ୍ରୋସାକିରେ କାରଖାନାରେ କାମ କରନ୍ତି । ପରିବାରରେ ବାଆମାଆଙ୍କ ବ୍ୟତୀତ ଭାଇ, ଭାଉଜ ଓ ପୁତୁରା ଅଛନ୍ତି । ନିକଟରେ ଭଉଣୀର ବାହାଘର ସରିଛି । ହୀରାକୁଦ ଆଇଟିଆଇ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ପାଢ଼ୀ ଓ ଶିକ୍ଷକମାନେ ବୀରେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ