ଭୁବନେଶ୍ବର: ଶିଳ୍ପାୟନ ଓ ଉଦ୍ୟୋଗକୁ ଆଗକୁ ନେବା ଆୟୋଜିତ ହେବ ଉଦ୍ୟୋଗ ଓଡି଼ଶା 2023 । ଡିସେମ୍ବର ମାସ 15 ରୁ 17 ତାରିଖ ଯାଏଁ ଏହି ସମ୍ମିଳନୀ ଝାରସୁଗୁଡା ଜିଲ୍ଲାରେ ଆୟୋଜନ କରାଯିବ । ଶିଳ୍ପାୟନକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜିତ କରାଯିବ । ପ୍ରଥମ ଥର ପଶ୍ଚିମ ଓଡିଶାରେ ଉଦ୍ୟୋଗୀମାନଙ୍କୁ ନେଇ ଏହି ସମ୍ମିଳନୀର ଆୟୋଜନ କରାଯିବ । ଦେଶ ବିଦେଶରୁ ନିବେଶକ, କୂଟନୀତିଜ୍ଞ, ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟ, ଉତ୍ପାଦକ ଓ ବିତରକ ଏଥିରେ ଯୋଗ ଦେବେ ।
ରାଜ୍ୟରେ ଶିଳ୍ପାୟନ ଓ ଉଦ୍ୟୋଗକୁ ଆଗକୁ ନେବା ଓ ଜାତୀୟ ସ୍ତରରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟୋଗ ଓଡିଶା-2023 ସମ୍ମିଳନୀ ଆୟୋଜିତ କରାଯିବ । ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ କରାଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ନିବେଶକ, କୂଟନୀତିଜ୍ଞ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଉତ୍ପାଦକ ଓ ବିତରକ ଏଥିରେ ଯୋଗ ଦେବେ । ଡିସେମ୍ବର ମାସ 15 ରୁ 17 ତାରିଖ ତିନିଦିନ ଧରି ଏହି ସମ୍ମିଳନୀ ଝାରସୁଗୁଡା ଜିଲ୍ଲାରେ ଆୟୋଜନ କରାଯିବ । ଏନେଇ ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଥିଲେ ।
ଅସିତ କହିଛନ୍ତି ଯେ, ରାଜ୍ୟକୁ ଶିଳ୍ପାୟନ କ୍ଷେତ୍ରରେ ଆଗକୁ ନେବା ପାଇଁ ଅନେକ ସମ୍ଭାବନା ରହିଛି । ଗ୍ରାମୀଣ ଅଞ୍ଚଳରେ ବର୍ତ୍ତମାନ ଚାଷୀମାନେ ମୁଖ୍ୟତଃ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗୀ ଦିଗରେ ଅଗ୍ରସର ହେଲେଣି, ଯାହା ଭବିଷ୍ୟତରେ ରାଜ୍ୟ ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଆଣିବାରେ ସହାୟକ ହେବ । ଏହି ସମ୍ମିଳନୀ ମୁଖ୍ୟତଃ ଜନଜାତି ଓ ମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇବ । ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀର ଆୟୋଜନ କରିବ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି । ଏଥିରେ ଅନେକ ଶିଳ୍ପାନୁଷ୍ଠାନ ଭାଗ ନେବେ ।
ଏହା ମଧ୍ୟ ପଢ଼ନ୍ତୁ....ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା: ସବସିଡି ରାଶି ୧ କୋଟିକୁ ବୃଦ୍ଧି, କିନ୍ନର ହେଲେ ସାମିଲ
ଏହାସହ ସ୍ଥାନୀୟ ତଥା ଦକ୍ଷ ଉଦ୍ୟୋଗୀଙ୍କୁ ଏହି ପ୍ରଦର୍ଶନୀରେ ଭାଗ ନେବା ପାଇଁ ସୁଯୋଗ ଦିଆଯିବା ସହ ପ୍ରଦର୍ଶନୀ ଦେଖିବାର ମଜା ନେଇପାରିବେ ସ୍ଥାନୀୟ ବାସିନ୍ଦା । ଏହି ସମ୍ମିଳନୀ ତଥା ପ୍ରଦର୍ଶନୀର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବା ପାଇଁ ଏକ ପରିଚାଳନା କମିଟି ଗଠନ କରାଯିବ । ଏହି କମିଟିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ନିଜକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ବି.ଏସ ପୁନିଆ, ସିଆଇଆଇର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର