ଝାରସୁଗୁଡ଼ା: ଦିବଂଗତ ନେତା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କର ଗତକାଲି ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଏହାପରେ ଭୁବନେଶ୍ବରରୁ ତାଙ୍କର ପାର୍ଥିବ ଶରୀର ଝାରସୁଗୁଡ଼ାକୁ ଅଣାଯାଇଥିଲା । ଏଠାରେ ଆଜି (ସୋମବାର) ସହରର ବିଭିନ୍ନ ସ୍ଥାନରେ ତାଙ୍କର ପାର୍ଥିବ ଶରୀରକୁ ନେଇ ଶେଷଯାତ୍ରା କରାଯାଇଥିଲା । ପରେ ଝାଡେଶ୍ଵର ମୁକ୍ତିଧାମ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଏନେଇ ତାଙ୍କୁ ପ୍ରଥମେ ସମ୍ବଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ଭୋର୍ ୪ଟା ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ବୀରେନ୍ଦ୍ର ପାଣ୍ଡେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ୧୯୮୦ ମସିହାରେ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରୁ ଲଢ଼ି ଝାରସୁଗୁଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୫ ଓ ୧୯୯୫ରେ ଝାରସୁଗୁଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ରାଜନୀତିକୁ ଆସିବା ପରେ ଝାରସୁଗୁଡା ପୌରାଞ୍ଚଳ ଓ ଅନ୍ୟ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ । ସେ ନିଜେ କଂଗ୍ରେସ ଦଳର ନେତା ହୋଇଥିଲେ ମଧ୍ୟ ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ସେ ସମୟର ଯୁବପିଢ଼ି ମାନଙ୍କ ପାଇଁ ମାର୍ଗଦର୍ଶକ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ..Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ
ତେବେ ରାଜନୀତି ଗୋଟି ଚାଳନାରେ ସିଦ୍ଧହସ୍ତ ବୀରେନ୍ଦ୍ର ପାଣ୍ଡେ ବର୍ତ୍ତମାନର କ୍ଷମତାନ୍ଧ ରାଜନୀତିରୁ ନିଜକୁ ଦୂରେଇ ରଖୁଥିଲେ । ତାଙ୍କର ମୃତ୍ୟୁରେ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି । ଆଜି ଝାରସୁଗୁଡ଼ା ବସଷ୍ଟାଣ୍ଡ ଛକଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ତାଙ୍କର ଶେଷଯାତ୍ରା ବାହାରି ଝଣ୍ଡାଛକ, ପୁରୁଣାବସ୍ତି, ଷ୍ଟେସନଛକ ଦେଇ ମଙ୍ଗଳାବଜାର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ରାସ୍ତାରେ ଝାଡେଶ୍ଵର ମୁକ୍ତିଧାମ ପର୍ଯ୍ୟନ୍ତ ଯାଇଥିଲା । ଏହି ଶେଷ ଯାତ୍ରାରେ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ, ବିଜେପିର ବରିଷ୍ଠ ନେତା ତ୍ରିନାଥ ଗୁଆଲ ଓ CPI ନେତା ରମେଶ ତ୍ରିପାଠୀଙ୍କ ସମେତ ବହୁ ରାଜନୈତିକ ଦଳର ନେତାମାନେ ଯୋଗଦେଇ ସ୍ଵର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ଶେଷ ଦର୍ଶନ କରିଥିଲେ । ବୀରେନ୍ଦ୍ର ପାଣ୍ଡେଙ୍କ ଶେଷଯାତ୍ରା ଝାରସୁଗୁଡ଼ା ସହର ପରିକ୍ରମା କରୁଥିବା ବେଳେ ତାଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା । ଶେଷରେ ଝାଡେଶ୍ବର ମୁକ୍ତିଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା