ଝାରସୁଗୁଡା: 3 ମାସରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ଟାଓ୍ବାର ଓ ପାଣି ମଝିରେ ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଫସି ରହିଥିବା 6 ମାଙ୍କଡ । ସ୍ଥାନୀୟ ଯୁବକ ଓ ବନ ବିଭାଗର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛନ୍ତି ସମସ୍ତ ମାଙ୍କଡ ।
ସୂଚନା ଅନୁଯାୟୀ ଜିଲ୍ଲାର ଡୁମେରମୁଣ୍ଡା ଗାଁ ପାଖରେ ଥିବା ଇବ ନଦୀ ଭିତରେ ରହିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ଖୁଣ୍ଟରେ ଫସି ରହିଥିଲେ 11 ମାଙ୍କଡ । ଗତ ଅଗଷ୍ଟ ମାସରେ ବର୍ଷା ପାଣି ଭର୍ତ୍ତି ହୋଇଯିବା ପରେ ସେଠାରୁ ମାଙ୍କଡମାନେ ବାହାରି ପାରି ନଥିଲେ । ସେମାନଙ୍କ ମଧ୍ୟରୁ 2ଟି ମାଙ୍କଡ ବିଦ୍ୟୁତ ଆଘାତରେ ମୃତ୍ୟୁମୁଖରେ ପଡିଥିବା ବେଳେ 3 ଟି ମାଙ୍କଡ ପାଣିରେ ପହଁରି ଯିବା ଉଦ୍ୟମ କରି ବୁଡି ମରିଥିଲେ ।
ସେଠାରେ ନିଜ ଜୀବନକୁ ବାଜି ଲଗାଇ 6 ମାଙ୍କଡ 3 ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ନ ଖାଇ ନ ପିଇ ରହୁଥିବା ଦେଖି ସ୍ଥାନୀୟ ଲୋକମାନେ ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏ ସମ୍ପର୍କରେ ଇଟିଭି ଭାରତରେ ପ୍ରଥମେ ଖବର ପ୍ରକାଶ ପାଇବା ପରେ ଗତ 3 ଦିନ ହେଲା ବନ ବିଭାଗ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ପର୍ଯ୍ୟାୟକ୍ରମେ ବୁଧବାର ଗୋଟିଏ ଶିଶୁ ମାଙ୍କଡ, ଗୁରୁବାର 3 ଟି ଓ ଶୁକ୍ରବାର ସଂଧ୍ୟାରେ ଗୋଟିଏ ମାଙ୍କଡ ଉଦ୍ଧାର କରାଯାଇଥିଲା । ଶେଷରେ ଶନିବାର ରହିଯାଇଥିବା ଗୋଟିଏ ମାଙ୍କଡକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ