ଝାରସୁଗୁଡା: ପାର୍ବଣ ଋତୁର ମଉଜ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଉଥିବା ବେଳେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଲଗାଇଛନ୍ତି । କିନ୍ତୁ ଦୀପ ଜାଳି ଆଲୋକର ପର୍ବ ପାଳିତ ହେବା ଉପରେ କୌଣସି ସମସ୍ୟା ନାହିଁ । ଯାହାକୁ ନେଇ ଚଳିତଥର ଗାଈ ଗୋବରରେ ତିଆରି ଦୀପରେ ପାଳିତ ହେବ ଦୀପାବଳି ।
ଏଥିପାଇଁ ଚାଲିଛି ଚାରିଆଡେ ଚାଲିଛି ପ୍ରସ୍ତୁତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଉପାନ୍ତ ଅଞ୍ଚଳ ୧୯ ଖଣ୍ଡ ମୌଜାର ଛତିଶଗଡ଼ ଓଡ଼ିଶା ସୀମାନ୍ତରେ ଥିବା ମୁରଲୀପାଲି- କଣ୍ଢେଇକେଲାରେ ଜଣେ ଛତିଶଗଡ଼ର ବ୍ୟବସାୟୀ ଏକ ଗୋଶାଳାରେ ନିର୍ମାଣ କରିଛନ୍ତି ଗାଈଗୋବରରେ ତିଆରି ଦୀପ ।
ସାଧାରଣତଃ ମାଟିରେ ତିଆରି ହେଉଥିବା ଦୀପକୁ ମାଟ୍ ପରିବର୍ତ୍ତେ ଗୋବରରେ ପ୍ରସ୍ତୁତ କରୁଛନ୍ତି ଦୀପ । ଗୋବରରେ ତିଆରି ହେଉଥିବା ଦୀପ ପରିବେଶ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହୋଇଥିବାବେଳେ ଏହି ଗୋଶାଳାରେ ପ୍ରସ୍ତୁତ ହେଉଥିବା ଦୀପ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଦୀପ ପ୍ରସ୍ତୁତ କରୁଥିବା ଗୋଶାଳା ମାଲିକ ୫ ଏକରରୁ ଅଧିକ ଜମିରେ ଜୈବିକ ପଦ୍ଧତିରେ ଚାଷ କରୁଥିବା ସହିତ ଗୋଶାଳାରେ ୩୦ ରୁ ଅଧିକ ଗାଈ ରଖି ଗୋପାଳନ ମଧ୍ୟ କରୁଛନ୍ତି । ଗୋଶାଳାରୁ ବାହାରୁଥିବା ଗୋବର ବାହାରେ ନଫିଙ୍ଗି ସେଠାରେ ତିଆରି କରୁଛନ୍ତି ଦୀପ ।
ଦୀପ ତିଆରି କରିବା ସହିତ ସେ ୧୫ ଜଣଙ୍କୁ ରୋଜଗାର କରିବାର ସୁଯୋଗ ସୃଷ୍ଟି କରି ପାରିଛନ୍ତି । ଦୀପ ତିଆରି ପାଇଁ ସେ ଗୋବର ଓ ପ୍ରିମିଶ ପାଉଡର ମିଶ୍ରଣ କରି ଏକ ମେସିନ ଛାଞ୍ଚର ବ୍ୟବହାର କରୁଛନ୍ତି । ପରେ ତାକୁ ଖରାରେ ଶୁଆଇ ବିଭିନ୍ନ ରଙ୍ଗ ଦେଇ ବଜାରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ