ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉପରୁ ଏଯାଏଁ ପରଦା ହଟିପାରିନାହିଁ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ସହ ଆଲୋଚନା କରି ଝାରସୁଗୁଡ଼ା ଫେରିଛନ୍ତି । ବିମାନବନ୍ଦରରୁ ବାହାରି ଓଏସ୍ଏପି ଦ୍ବିତୀୟ ବାଟାଲିୟନରେ ପହଞ୍ଚିଛନ୍ତି ଏଡିଜି ବୋଥ୍ରା । ଆଗକୁ ଜଷ୍ଟିସ ଜେପି ଦାସ ମଧ୍ୟ ଝାରସୁଗୁଡ଼ା ଆସି ଗୋପାଳକୁ ପଚରାଉଚରା କରିପାରନ୍ତି । ବର୍ତ୍ତମାନ କଣ ରହିବ ତଦନ୍ତର ଦିଗ, ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗତ ଜାନୁଆରୀ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ । ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇପାରିନାହିଁ । ତେବେ ଗୋପାଳର ମାନସିକ ଅବସ୍ଥା ଠିକ୍ ନଥିବା ପରିବାର ଲୋକେ କହିଥିଲେ । ପ୍ରକୃତରେ ତାର ମାନସିକ ଅବସ୍ଥା ଠିକ୍ ଅଛି ନା ନାହିଁ ତାହା ପରୀକ୍ଷା କରିବା ପାଇଁ ରବିବାର ସକାଳେ କଟକରୁ ଏକ ୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଝାରସୁଗୁଡ଼ା ଓଏସ୍ଏପି ଦ୍ବିତୀୟ ବାଟାଲିୟନରେ ପହଞ୍ଚି ଗୋପାଳର ମାନସିକ ଅବସ୍ଥା ଯାଞ୍ଚ କରିଛନ୍ତି ।
ସ୍ଵରେଜ ଟ୍ୟାଙ୍କରୁ ମିଳିଥିବା 12 ଖଣ୍ଡ କାଗଜ, ଯେଉଁଥିରେ ଗୋପାଳର ହାତଲେଖା ଥିବା କୁହାଯାଉଛି, ସେଗୁଡ଼ିକୁ ଯାଞ୍ଚ କରିବା ପାଇଁ ହସ୍ତରେଖା ବ୍ୟୁରୋକୁ ପଠାଯାଇଛି । ଗୋପାଳର ବୁଢ଼ିଜାମସ୍ଥିତ ଏମସିଏଲ କ୍ବାର୍ଟରରୁ ଜବତ ହୋଇଥିବା ଡାଏରୀ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଗୋପାଳର ଧଳା କାର ମଧ୍ୟ ଜବତ କରାଯାଇଛି । ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ଗୋପାଳ କୌଣସି ସୁପାରୀ ନେଇଛି ନା ବ୍ୟକ୍ତିଗତ ଶତୃତାରୁ ସେ ଏଭଳି କାଣ୍ଡ ଭିଆଇଛି, ସେନେଇ ଏବେ ଯାଏଁ ମୁହଁ ଖୋଲିନାହିଁ ଗୋପାଳ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ପୁଣିଥରେ ୪ ଦିନ ରିମାଣ୍ଡରେ ଗୋପାଳକୁ ଆଣିଛି କ୍ରାଇମବ୍ରାଞ୍ଚ । କିନ୍ତୁ ଏବେ ଯାଏଁ ହତ୍ୟାକାଣ୍ଡର ଅସଲ ରହସ୍ୟଠାରୁ ଦୂରରେ କ୍ରାଇମବ୍ରାଞ୍ଚ ।
ଇଟିଭି ଭାରତ, ଝାରସୁଗୁଡ଼ା