ଝାରସୁଗୁଡ଼ା: ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଝାରସୁଗୁଡ଼ାରେ ନିର୍ବାଚନୀ ତାତି ଜୋର ଧରିଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଘନଘନ ବୈଠକ ସାଙ୍ଗକୁ ଅଧିକାରୀ ମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛି । କେମିତି ଏହି ଉପନିର୍ବାଚନ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ସହିତ ହୋଇପାରିବ ସେନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି । ରାଜନୈତିକ ଦଳ ଗୁଡ଼ିକ କିପରି ନିର୍ବାଚନୀ ଆଚରଣ ବିଧିର ଅବମାନନା ନକରିବେ ସେଥିପାଇଁ ସ୍ବତନ୍ତ୍ର ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହାରି ଭିତରେ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନାରଭାଣେ, ଝାରସୁଗୁଡ଼ା ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଉତ୍ତରାଞ୍ଚଳ DIG ବ୍ରିଜେଶ ରାୟଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । କିଭଳି ସୁରୁଖୁରୁରେ ଉପନିର୍ବାଚନକୁ ସମ୍ପାଦନ କରିହେବ, ସେନେଇ ବୈଠକ ଆଲୋଚନା ହୋଇଥିଲା ।
ବିଶେଷ ଭାବେ ନିର୍ବାଚନୀ ପ୍ରଚାର, ନିର୍ବାଚନୀ ସମୟରେ ଅର୍ଥ କାରବାର ଓ ଭୋଟ ଗ୍ରହଣ ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଆଉ କିଛିଦିନ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ପ୍ରାର୍ଥୀମାନେ କିଭଳି ଠିକ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିବେ, ସେନେଇ ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ପ୍ରାର୍ଥୀପତ୍ର ଯାଞ୍ଚ ସାଙ୍ଗକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିଗ ଉପରେ ମଧ୍ୟ ନଜର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ପ୍ରକାଶ ଥାଉକି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାନେଇ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ଆସନ୍ତା ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବା ସହିତ ମେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଆୟୋଗ ଜଣାଇଛନ୍ତି । ତେବେ ଆସନ୍ତା ଏପ୍ରିଲ ୧୩ ତାରିଖରେ ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ତାରିଖ ସୁଦ୍ଧା ନାମାଙ୍କନ ଓ ଏପ୍ରିଲ ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ।
ଇଟିଭି ଭାରତ, ଝାରସୁଗୁଡ଼ା