ଝାରସୁଗୁଡା: ରେଳ ଧାରଣା ଉପରେ ଆନ୍ଦୋଳନକାରୀ । ବ୍ରଜରାଜନଗର ରେଳ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନର ରହଣି ନେଇ ଦାବି । ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଆଜି ବ୍ରଜରାଜନଗର ରେଳ ଷ୍ଟେସନରେ ସକାଳ 6 ଠାରୁ ରେଳରୋକ ଆନ୍ଦୋଳନ ଆରମ୍ଭ ହୋଇଛି ।
ପୁରୀ-ଯୋଧପୁର ଏକ୍ସପ୍ରେସ, ହାଓଡ଼ା-ମୁମ୍ବାଇ ମେଲ ଏକ୍ସପ୍ରେସ, ହାଓ୍ବଡା-ଅହମ୍ମଦାବାଦ ଏକ୍ସପ୍ରେସ ରହଣୀ ଦାବି କରି ଅନେକ ଥର ଲିଖିତ ଦାବି ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥିଲା । ହେଲେ ରେଳ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଏହି ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ରଜରାଜନଗର ନାଗରିକ କମିଟି । ଗତ ରାତିରେ ବ୍ରଜରାଜନଗର ନାଗରିକ କମିଟି, ରେଳ ବିଭାଗ ଅଧିକାରୀ, ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ କୌଣସି ନିଷ୍ପତ୍ତି ନ ହେବାରୁ ଆଲୋଚନା ବିଫଳ ହୋଇଥିଲା।
ବ୍ରଜରାଜନଗରରେ ରେଳରୋକ ଆନ୍ଦୋଳନ ଯୋଗୁଁ ଏହି ରୁଟ ଦେଇ ଯାଉଥିବା ଅନେକ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଗକୁ ଆହୁରି ଟ୍ରେନ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି l ତେବେ ରେଳବାଇ ପକ୍ଷରୁ ବ୍ରଜରାଜନଗରବାସୀଙ୍କ ଦାବି ମୁତାବକ ଟ୍ରେନ ରହଣି କରା ନ ଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ l ଏନେଇ ଆନ୍ଦୋଳନକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ