ଝାରସୁଗୁଡ଼ା: JSW ଷ୍ଟିଲ ପ୍ଲାଣ୍ଟର ଏକ ଠିକା ସଂସ୍ଥା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ଝାରସୁଗୁଡା ବିଜେପି । ସମ୍ବଲପୁର ଠେଲକୋଲେଇରେ ଥିବା ଏହି ପ୍ଲାଣ୍ଟରେ ଝାରସୁଗୁଡା ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତର ଠିଠେଇମାଲ ଗ୍ରାମର ୪ ଜଣ ବ୍ୟକ୍ତି କାମ କରୁଥିଲେ । ଏକ ବ୍ଲାଷ୍ଟିଂରେ ଏହି ଶ୍ରମିକମାନେ ଜଳି ଯାଇଥିଲେ ।
ତେବେ ଦୁର୍ଘଟଣା ପରେ କେସ ନକରିବା ପାଇଁ ଏହି ଶ୍ରମିକଙ୍କୁ JSW ଷ୍ଟିଲ ପ୍ଲାଣ୍ଟର ଏକ ଠିକା ସଂସ୍ଥା ଧମକ ଦେଇଥିଲା । ଚିକିତ୍ସା ଖର୍ଚ୍ଚ ବାବଦକୁ ମାତ୍ର ୭ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସମସ୍ତ ଚିକିତ୍ସା ଖର୍ଚ୍ଚ ପରିବାର ଲୋକେ ବହନ କରୁଥିବାବେଳେ ଅଧିକ ଚିକିତ୍ସା ପାଇଁ ପ୍ଲାଣ୍ଟର କର୍ତ୍ତୃପକ୍ଷ କିମ୍ବା ଠିକାସଂସ୍ଥା କୌଣସି ପ୍ରକାର ସାହାଯ୍ୟ ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି ।
ଏହି ଷ୍ଟିଲ୍ ପ୍ଲାଣ୍ଟରେ ବ୍ଲାଷ୍ଟରେ ଜଳିଯାଇଥିବା ଶ୍ରମିକମାନେ ହେଲେ କର୍ଣ୍ଣ ଓରାମ, ନୀଳମଣି ଓରାମ, ଅଞ୍ଜନ ଓରାମ, ଏବଂ ଅଶୋକ ଧୁରୂଆ । ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ କିଭଳି ଚିକିତ୍ସା ଆଗକୁ ବଢ଼ିବ ସେନେଇ ଚିନ୍ତାରେ ରହିଛନ୍ତି ପରିବାର । ଖାଲି ସେତିକି ନୁହେଁ, ଯେବେ ବି ପ୍ଲାଣ୍ଟରେ ଏଭଳି ଦୁର୍ଘଟଣା ହୁଏ, ଉଚ୍ଚ ଅଧିକାରୀ ଧମକ ଦେଇ ଏହାକୁ ଚପାଇ ଦେଉଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ଝାରସୁଗୁଡ଼ାରେ ଆହତଙ୍କ ପରିବାର ବିଜେପି ଉଭୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ