ଝାରସୁଗୁଡା: ପୌର ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ବିଜେଡି l ଆଗାମୀ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ହେଁ ବିଜେଡି ନିଜର ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲାରେ l ଆଜି ବେଲପାହାଡ ପୌରାଞ୍ଚଳରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରି ନିର୍ବାଚନର ରଣ ହୁଙ୍କାର ଦେଇଛି ଦଳ l
ଏହି କର୍ମୀ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହ ବିଜେଡିରେ ଅନେକ ବିଜେପି ନେତା କର୍ମୀ ଯୋଗ ଦେଇଥିଲେ l
ଆଗାମୀ ନିର୍ବାଚନରେ ଜିଲ୍ଲାର ତିନୋଟି ଯାକ ପୌରାଞ୍ଚଳରେ ବିଜୁ ଜନତା ଦଳ ବିପୁଳ ଜନ ସମର୍ଥନ ପାଇ ବିଜୟୀ ହେଵ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ବିଜୁ ଜନତା ଦଳକୁ ରାଜ୍ୟବାସୀଙ୍କ ବିଶ୍ବାସ ଭାଜନ କରିଛି l ତେଣୁ ବିପୁଳ ଜନ ସମର୍ଥନ ସହ ଆଗାମୀ ପୌର ନିର୍ବାଚନରେ ବିଜୁ ଜନତା ଦଳ ବିଜୟଲାଭ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି l
ସେହିପରି ସାଂସଦ ସୁବାସ ସିଂ କହିଛନ୍ତି ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀଦିନରେ ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପୌର ପରିଷଦରେ ପ୍ରାର୍ଥୀ ଚୟନ କରାଯିବ ।
ଅନ୍ୟପଟେ ଆଜି ବିଜେଡିର କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆସୁଥିବାବେଳେ କିଛି ବିଜେପିକର୍ମୀ ପ୍ରତିବାଦ କରିବାର ଯୋଜନା କରୁଥିବାବେଳେ ବିଜେଡି ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ