ଯାଜପୁର: ଗାଁ ମଝିରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଜଣେ ଅସ୍ଥାୟୀ ସରକାରୀ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହାଣି ଫେରାର ହୋଇଯିବା ଘଟଣାକୁ ମାସେ ବିତିବାକୁ ବସିଲାଣି । ତଥାପି ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।
ଏହାର ପ୍ରତିବାଦରେ ଗ୍ରାମବାସୀ ଓ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯାଜପୁର ସଦର ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଞ୍ଚାୟତର ଅଳପୁଆ ଗାଁରେ ଗତ ଡିସେମ୍ବର ମାସ ୨୫ ତାରିଖ ସଂଧ୍ୟାରେ ରସୁଲପୁର ବ୍ଲକର ଯୋଗାଣ ବିଭାଗରେ କାର୍ଯ୍ୟକରୁଥିବା ଅସ୍ଥାୟୀ କର୍ମଚାରୀ ଶ୍ରୀକାନ୍ତ ନାୟକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଶ୍ରୀକାନ୍ତ ବଳ ନାମକ ଜଣେ ବ୍ୟକ୍ତିଙ୍କ ସମେତ ଅନ୍ୟ ୬ ଜଣ ମାରଣାସ୍ତ୍ରରେ ହାଣି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲେ ।
ପୂର୍ବ ଶତୃତା ଏବଂ ରାସନ କାର୍ଡକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥିବା କୁହାଯାଉଛି । କିନ୍ତୁ, ଘଟଣାକୁ ଅଦ୍ୟାବଧି ମାସେ ବିତିବାକୁ ବସିଥିଲେ ହେଁ ଏ ପର୍ଯ୍ୟନ୍ତ ମାତ୍ର ଜଣେ ଅଭିଯୁକ୍ତକୁ ଧରିଛି ଯାଜପୁର ସଦର ପୋଲିସ । କିନ୍ତୁ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁନଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଓ ପରିବାର ଲୋକେ ଯାଜପୁର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହି ଘଟଣାରେ ଏକାଧିକ ବ୍ୟକ୍ତି ପ୍ରତ୍ୟକ୍ଷଦର୍ଶୀ ରହିଥିଲେ ମଧ୍ୟ ତଦନ୍ତ ଆଗେଇ ନଥିବାରୁ ସଦର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଆଗାମୀ ଦୁଇ ଦିନ ମଧ୍ୟରେ ଅଭିଯୁକ୍ତ ମାନେ ଗିରଫ ହେବେ ବୋଲି ଯାଜପୁର ଏସପି ପ୍ରତିଶୃତି ଦେଇଛନ୍ତି । ଏସପିଙ୍କ ପ୍ରତିଶୃତି ମୁତବାକ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ