ଯାଜପୁର: ଯାଜପୁର ଜିଲ୍ଲା ପୂଣ୍ୟତୋୟା ବୈତରଣୀ ନଦୀ ତଟରେ ରହିଛି ମା' ସାତ ଭଉଣୀଙ୍କ ମନ୍ଦିର। ପ୍ରତ୍ୟେକ ବର୍ଷ ଦୀପାବଳି ଅମବାସ୍ୟା ପରଠୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ବର୍ଷ ମଧ୍ୟ ପୀଠରେ ମା କାଳୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର ଭିତରେ କୋରୋନା କଟକଣା ସହ ଦେବୀ ମା'ଙ୍କ ପୂଜା କରାଯାଇଛି।
7 ଭଉଣୀଙ୍କୁ ଗୋଟିଏ ସ୍ଥାନରେ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ନେଇ କିମ୍ବଦନ୍ତୀ ରହିଛି। ଏଥିପାଇଁ ଏଠାରେ ମା'ଙ୍କ ଆଶିଷ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମୃତ୍ୟୁର ଦେବତା ଜମ ରାଜାଙ୍କ ସାତ ଭଉଣୀ ଏଠାରେ ପୂଜା ପାଉଛନ୍ତି। ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିନାହିଁ।
କୋରୋନା ଭାଇରସକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳି ଶାନ୍ତି ଶୃଙ୍ଖଳାର ସହ ପାଳିବାକୁ ଅପିଲ କରିଥିଲେ ରାଜ୍ୟ ସରକାର। ଏଥିପାଇଁ ବାଣ ଫୁଟାଇବା କିମ୍ବା ବାଣ ବିକ୍ରି ଉପରେ ସମ୍ପୁର୍ଣ୍ଣ କଟକଣା ଜାରି କରିଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିରରେ ମଧ୍ୟ ବଡ଼ବଡ଼ୁଆ ଡାକ ଉପରେ ରୋକ ଲଗାଇଥିଲା ପ୍ରଶାସନ। ଏହାସହ ଅନ୍ୟାନ ମନ୍ଦିର ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ରୋକ ଲାଗିଥିଲା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ