ଯାଜପୁର: ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ଆସିବା ଫଳରେ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି । କେତେକ ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।
ବିଶେଷକରି ଯାଜପୁର, ଦଶରଥପୁର ବ୍ଲକରେ ବନ୍ୟାର ପ୍ରଭାବ ଅଧିକ ରହିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ପୁଣି ଅନ୍ୟ ଏକ ଲଘୁଚାପ ଜନିତ ବର୍ଷା ହେଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର ହେବ ବୋଲି ଜିଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ କୌଣସି ପ୍ରସ୍ତୁତି ହୋଇନଥିବା ଅଭିଯୋଗ କରିଛନ୍ତି । କାରଣ ଜିଲାର ସମସ୍ତ ସ୍କୁଲ ଏବଂ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କୋରୋନା ମୁକାବିଲା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ଭାବେ ବ୍ୟବହାର କରାଯାଉଛି । ଯଦି ବନ୍ୟାର ପ୍ରକୋପ ବୃଦ୍ଧି ପାଇଲା ବିପନ୍ନ ମାନେ କେଉଁଠି ରହିବେ ବୋଲି କଂଗ୍ରେସ ସଭାପତି ମନୋଜ ରାଉତ ପ୍ରଶ୍ନ କରିଛନ୍ତି ।
ସେପଟେ ଚଳିତ ବର୍ଷ ବୈତରଣୀର ନଦୀ ଶଯ୍ୟା ଖନନ ହୋଇଥିବାରୁ ବନ୍ୟା ଅଧିକ ହେବାର ସମ୍ଭାବନା ନାହିଁ ଏବଂ ଯଦି ହୁଏ ଠିକ୍ ଭାବେ ମୁକାବିଲା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ