ଯାଜପୁର: ବହୁ ଚର୍ଚ୍ଚିତ କେଲୁଅ ନଦୀବନ୍ଧ ଭାଙ୍ଗିବା ଘଟଣାରେ ଆଜି(ଶୁକ୍ରବାର) ଭିଜିଲାନ୍ସ ଦ୍ବାରା ତଦନ୍ତ ଆରମ୍ଭ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରମାପୁର ଘାଇର ଭିଜିଲାନ୍ସ ଦ୍ବାରା ତଦନ୍ତ ଆରମ୍ଭ ହୋଇଛି ।
ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନିମନ୍ତେ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ଆଜି ଭଜିଲାନ୍ସ ଟିମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କଟକ ଭିଜିଲାନ୍ସ ସେଲର ଅତିରିକ୍ତ ଏସପି ହରନାରାୟଣ ପତିଙ୍କ ନେତୃତ୍ବରେ ଏକ 5 ଜଣିଆ ବୈଷୟିକ ଟିମ ଆଜି(ଶୁକ୍ରବାର) ଘାଇ ଠାରେ ପହଞ୍ଚି ମାପଚୁପ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ 28ରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଅ ନଦୀର ରମାପୁର ଠାରେ 300 ଫୁଟରୁ ଊର୍ଦ୍ଧ୍ଵ ଏକ ଘାଇ ସୃଷ୍ଟି ହୋଇଥିଲା । ଯାହାକି ମନୁଷ୍ୟକୃତ ବୋଲି ଅଭିଯୋଗ ହୋଇଥିଲା । ଏପରିକି ଏହି ଘାଇ ମନୁଷ୍ୟକୃତ ବୋଲି ଖୋଦ ମୁଖ୍ୟଶାସନ ସଚିବ ସ୍ବୀକାର କରିଥିଲେ। ଯାହାକୁ ନେଇ ତୁମ୍ବିତୁଫାନ ସୃଷ୍ଟି ହେବା ସହ ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ ଘାଇ ପରିଦର୍ଶନ କରିଥିଲେ । ଏହି ଘାଇ ହେବା ଫଳରେ 5 ଗୋଟି ପଞ୍ଚାୟତର ଲୋକ କ୍ଷତିଗ୍ରସ୍ତ ହେବା ସହ ହେକ୍ଟର ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିଲା।
ସ୍ଥାନୀୟ ବିଧାୟକ ଓ ପୂର୍ତ୍ତ ବିଭାଗରେ ଜେଇ ଥିବା ତାଙ୍କ ମାମୁଁଙ୍କ ଏଥିରେ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା । ଏହା ଏକ ମନୁଷ୍ୟକୃତ ଘାଇ ବୋଲି ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ