ଚଣ୍ଡିଖୋଲ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମହାବିନାୟକ ମନ୍ଦିର । ବଣ ପାହାଡ ଘେରା ଏହି ମନୋରୋମ ଦୃଶ୍ୟରେ ଭରପୁର ପୀଠରେ ଜମେ ଭକ୍ତଙ୍କ ଭିଡ । ମାତ୍ର ମନ୍ଦିରର ନାମକରଣ ମହାବିନାୟକ ହୋଇଥିଲେ ମଧ୍ୟ ଏହା ଶୈବକ୍ଷେତ୍ର ଭାବେ ବେଶ ଜଣାଶୁଣା । ଯାହାକୁ ଅନେକ ଶ୍ରୀ ଶ୍ରୀ ମହାବିନାୟକ ଶୈବପୀଠ ରୂପେ ମଧ୍ୟ ଜାଣନ୍ତି । ତେବେ ଏହି ମହାବିନାୟକ ମନ୍ଦିରର ନାମକରଣ, ବିଶେଷତ୍ବ ଓ ପ୍ରତିଷ୍ଠା ନେଇ ରହିଛି ଅନେକ କିମ୍ବଦନ୍ତୀ । ଆସନ୍ତୁ ଜାଣବା ସେ ବିଷୟରେ କିଛି ରୋଚକ କଥା...
ମହାବିନାୟକ ମନ୍ଦିରର ଅବସ୍ଥିତି:
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦେଇ ଯାଇଥିବା 200 ନମ୍ବର ଜାତୀୟ ରାଜପଥ କଡରେ ଶୋଭା ପାଉଛି ବାରୁଣାବନ୍ତ ପର୍ବତ । ଏହି ପର୍ବତର ସବୁଜ ଅରଣ୍ୟ ଭିତରେ ପୂଜା ପାଉଛନ୍ତି ଆଦି ଦେବତା ଗଜାନନ ।
ଓଡିଶାର ପଞ୍ଚପୀଠ ମଧ୍ୟରୁ ଅନ୍ୟତମ ମହାବିନାୟକ କ୍ଷେତ୍ର । ଏଠାରେ ଗୋଟିଏ ପ୍ରସ୍ତରରେ ପଞ୍ଚ ଦେବତାଙ୍କ ସମ୍ମିଳିତ ପ୍ରତିମା ରହିଛି । ଗଣେଷ, ଭାସ୍କର, ବିଷ୍ଣୁ, ଶିବ, ଓ ମା' ଦୁର୍ଗା ଗୋଟିଏ ପୀଠରେ ପୂଜା ପାଉଛନ୍ତି । ଗଣପତି 23 ପ୍ରକାର ଥିବାବେଳେ ମହାଗଣପତି ସବୁଠୁ ଶ୍ରେଷ୍ଠ । ଆଉ ସବୁ ଦେବୀ ଦେବତାଙ୍କ ମଧ୍ୟରେ ଗଣପତି ଅଗ୍ରପୂଜ୍ୟ ହୋଇଥିବାରୁ ଆଦ୍ୟପୂଜା କରାଯାଏ । ଯେଉଁଥିପାଇଁ ମହାବିନାୟକ କ୍ଷେତ୍ରକୁ ଆଦ୍ୟକ୍ଷେତ୍ର ବୋଲି କୁହାଯିବା ସହ ଏହା ଏକ ଶୈବପୀଠ ହୋଇଥିଲେ ମଧ୍ୟ ଏହାକୁ ମହାବିନାୟକ ପୀଠ ମଧ୍ୟ କୁହାଯାଏ ।
ପୂଜାର ନୀତି, ବିଶେଷତ୍ବ:
ଏଠାରେ ଶୀବରାତ୍ରୀ ଦିନ ଦେବତାଙ୍କୁ ନୀତି, ଧୂପ ଓ ପାଞ୍ଚ ଅବକାଶ କରାଯାଇଥାଏ । ରାତିର ଦ୍ବିତୀୟ ପ୍ରହରରେ ଅର୍ଥାତ 12ଟା ବେଳେ ପୂର୍ବନୀତିକୁ ପାଳନ କରିବା ପରେ ପିତ୍ତଳ ନିର୍ମିତ ପାଞ୍ଚ ଦେବତାଙ୍କ ମୂର୍ତ୍ତିକୁ ଧରି ମନ୍ଦିର ପରିକ୍ରମା କରାଯାଏ । ସାଧାରଣ ନିୟମ ଅନୁସାରେ, 7ଥର ବେଢା ପରିକ୍ରମା କରାଯାଇଥାଏ । ମାତ୍ର ବିନାୟକଙ୍କ କ୍ଷେତ୍ରରେ ମହାବିନାୟକଙ୍କ ଯୋଗୁଁ 3ଥର ବେଢା ପରିକ୍ରମା କରାଯାଏ ।
ଏଠାରେ 3ଟି ଥାଳିରେ ପାଞ୍ଚ ଠାକୁରଙ୍କୁ ନୈବେଦ୍ୟ ଲଗାଯାଏ । ପ୍ରଥମ ଥାଳିରେ ଶିବ ବିଷ୍ଣୁଙ୍କୁ ବେଲପତ୍ର ଓ ତୁଳସୀ ଦେଇ ନୈବେଦ୍ୟ ଦିଆଯାଉ ଥିବାବେଳେ ଦ୍ବିତୀୟ ଥାଳିରେ ଗଣେଷ ଓ ଭାସ୍କରଙ୍କୁ ଓ ତୃତୀୟ ଥାଳିରେ ମା' ଆଦିଶକ୍ତି ଦୁର୍ଗାଙ୍କୁ ନୈବେଦ୍ୟ ଚଢାଯାଏ ।
ମହାବିନାୟକ ଶୈବ ପୀଠରେ ଲାଗିହୁଏ ଅନ୍ନଭୋଗ:
ଧର୍ମକ୍ଷେତ୍ରରେ ଗୋଟିଏ ନିୟମ ଅଛି, ଶିବ ନିର୍ମାଲ୍ୟ ଶିବଭକ୍ତଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସେବନ କରିବାକୁ ଦିଆଯାଏନାହିଁ । ଏବଂ ରାତିରେ ଶିବ ମନ୍ଦିରରେ ଅନ୍ୟ କେଉଁଠି ଅନ୍ନ ଭୋଗ ନହୋଇ ବାଟୁଳା ଭୋଗ ହୋଇଥାଏ । ମାତ୍ର ଭୁବନେଶ୍ବରର ଲିଙ୍ଗରାଜ ଓ ବଲାଙ୍ଗୀରର ହରିହର ମନ୍ଦିର ପରି ବିନାୟକ କ୍ଷେତ୍ରରେ ଶିବ-ବିଷ୍ଣୁ ଏକତ୍ରିତ ଥିବାରୁ ଏଠାରେ ଶିବଙ୍କ ବାଟୁଳା ଭୋଗ ପରିବର୍ତ୍ତେ ଅନ୍ନ ଭୋଗ ଲାଗି ହୋଇଥାଏ । ଏଠାରେ ତ୍ରିବାଡ ପୂଜା ପଦ୍ଧତିରେ ପୂଜା କରାଯାଉ ଥିବାବେଳେ ସକାଳେ ଖେଚୁଡି ଭୋଗ ଲାଗି କରି ତିନି ଧୂପ, ପାଞ୍ଚ ଅବକାଶ ହୁଏ ।
ଏହାସହ ପଞ୍ଚ ଦେବାଦେବୀଙ୍କ ଆବିର୍ଭାବ ହୋଇଥିବାରୁ ଏଠାରେ ପଞ୍ଚଦେବଙ୍କ ଜନ୍ମଉତ୍ସବ ପାଳିକ ହୁଏ । ଦୁର୍ଗାଷ୍ଟମୀ, ଗଣପତିଙ୍କ ଗଣେଷ ଚତୁର୍ଥୀ, ଶିବ ଚତୁର୍ଥୀ, ଜନ୍ମାଷ୍ଟମୀ ଆଦି ପାଳିତ ହୁଏ । ସବୁ ପୂଜା ପାର୍ବଣ ଯେପରିକି ଚିତଉ ଅମାବାସ୍ୟାରେ ଚିତଉ, ବଉଳ ଅମାବାସ୍ୟାରେ ଗୋଳ ଗୋଇଠା, ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା , ରଜରେ ପୋଡ ଓ ବଡଓଷାରେ ଗଜ ଭୋଗ ଲାଗି ହୁଏ ।
କିମ୍ବଦନ୍ତୀ ପୌରାଣିକ କଥାବସ୍ତୁ ସହ ରହିଛି ସମ୍ପର୍କ:
500 ବର୍ଷର ଏହି ପୂରୂଣା ମନ୍ଦିର ରାଜା ପ୍ରତାପ ରୁଦ୍ର ଦେବଙ୍କ ଶାସନ ଅମଳରୁ ବୋଲି କୁହାଯାଏ । ଏହାସହ ପାହାଡ ଉପରେ ଭାଗରେ ପୂଜା ପାଉଛନ୍ତି ବନଦୂର୍ଗା । ଯିଏ ସୁରକ୍ଷା ଦେଉଛନ୍ତି ସମସ୍ତଙ୍କୁ । ଅନ୍ୟପଟେ ପାହାଡର ପାଦ ଦେଶରେ ରହିଛି ହନୁମାନ ମନ୍ଦିର । ମହାବିନାୟକ ମନ୍ଦିରରେ ପୌରାଣିକ କଥାବସ୍ତୁ ଅନୁସାରେ, ମହାଭାରତରେ ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ କୁନ୍ତୀ ପାଣ୍ଡବଙ୍କ ଅଜ୍ଞାତବାସକୁ ସଫଳ କରିବାକୁ 1ଲକ୍ଷ ସ୍ବର୍ଣ୍ଣ ଚମ୍ପା ମହାବିନାୟକଙ୍କ ଠାରେ ଅର୍ପଣ କରିଥିଲେ ।
ଭକ୍ତଙ୍କ ଆସ୍ଥା ଓ ବିଶ୍ବାସ ମହାବିନାୟକ:
ପୂରା ଶ୍ରଦ୍ଧା ଓ ଭକ୍ତିର ସହ ଯଦି ଜଣେ ଭକ୍ତ, ସଙ୍କଳ୍ପ କରି ଗୁଆଟିଏ ମହାବିନାୟକଙ୍କ ଠାରେ ବସାଏ ତେବେ ତାର ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହାସହ ଆହୁରି ମଧ୍ୟ କୁହାଯାଏ ଯେ, ମହାବିନାୟକଙ୍କ ପାଦୁକ କୁଣ୍ଡ ବର୍ଷ ତମାମ ପୂର୍ଣ୍ଣ ରହୁଥିବାବେଳେ କିନ୍ତୁ କୌଣସି ପ୍ରାକୃତିକ ବିପଦ କିମ୍ବା ଅଘଟଣ ହେବାକୁ ଥିଲେ ଏହି ପାଦୁକ କୁଣ୍ଡ ଶୁଖିଯାଏ । ଯାହାକୁ ପ୍ରଭୁ ମହାବିନାୟକଙ୍କ ପୂର୍ବ ସଙ୍କେତ ସ୍ବରୂପ ଦିଅନ୍ତି ।
ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା:
ପ୍ରାକୃତିକ ସୌନ୍ଦଯ୍ୟ ସହ ପାହାଡ ଜଙ୍ଗଲ ଓ ଝରଣାର ଅପୂର୍ବ ସମ୍ଭାର ଦେଖିବାକୁ ମିଳେ ମହାବିନାୟକ ପୀଠରେ । ଯାହାକୁ ଉପଭୋଗ କରିବା ସହ ମହାବିନାୟକ ଦର୍ଶନ ପାଇଁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ ଜମେ ମହାବିନାୟକ ପୀଠରେ । ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ପିକନିକ ସୁବିଧା ସହ ଆଶ୍ରୟସ୍ଥଳୀ ମଧ୍ୟ ରହିଛି ।