ଯାଜପୁର: ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ୪ ଆହତ । ଏଭଳି ଏକ ଘଟଣା ଘଟିଛି ଯାଜପୁର ସଠିପୁର ଛକ ନିକଟରେ । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନାଅନୁଯାୟୀ ଆଜି ଭୋର ସମୟରେ ପାଣିକୋଇଲି ଥାନା ସଠିପୁର ଓଭର ବ୍ରିଜ ଉପରେ ଦୁଇଟି କଣ୍ଟେନର ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଦୁଇ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଦୁର୍ଘଟଣାକୁ ଦେଖି ଗ୍ୟାସ କଟର ସାହଯ୍ୟରେ କାଟି ଦୁଇ ଡ୍ରାଇଭରଙ୍କୁ ବାହାର କରିଥିଲେ। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ସହ ଦୁଇ ହେଲ୍ପର ଗୁରୁତର ଆହତ ହୋଇଥଲେ । କଟକରୁ ଭଦ୍ରକ ଓ ଭଦ୍ରକ ଜିଲ୍ଲାରୁ ପାଣିକୋଇଲିକୁ ଦୁଇଟି କଣ୍ଟେନର ଗାଡି ମାଲ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ