ଯାଜପୁର: ଗତ ଜୁଲାଇ ୬ତାରିଖ ପାଣିକୋଇଲି ଥାନା ଅଞ୍ଚଳରେ ହୋଟେଲ ବ୍ୟବସାୟୀ ରବିନ୍ଦ୍ର ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ପରକୀୟା ପ୍ରୀତି ଯୋଗୁଁ ନିଜର ଦୁଇ ଶଳା ଏବଂ ସାନ ଶଳାର ପ୍ରେମିକା ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।
ରବିନ୍ଦ୍ର କିଛି ବର୍ଷ ପୂର୍ବେ ପାଟକୁରା ଅଞ୍ଚଳରୁ ଆସି ପାଣିକୋଇଲିରେ ହୋଟେଲ ବ୍ୟବସାୟ କରିବା ସହ ନିକଟସ୍ଥ ଗ୍ରାମରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । କିନ୍ତୁ ରବିନ୍ଦ୍ର ଧିରେଧିରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ସହ ନିଜ ସ୍ତ୍ରୀକୁ ମାରଧର ମଧ୍ୟ କରୁଥିବା ଅଭିଯୋଗ ଥିଲା । ୨୦୧୯ ଫେବୃଆରୀ ୭ରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ତଥା ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇ ରବିନ୍ଦ୍ର କିଛିଦିନ ଜେଲ୍ ଯାଇଥିଲା । ସେଠାରୁ ଫେରିବା ପରେ ପୁନଃ ସ୍ତ୍ରୀ ଉପରେ ନିର୍ଯାତନା ଦେବାରୁ ନିଜ ବଡଶଳା ଚନ୍ଦ୍ରକାନ୍ତ ମହାପାତ୍ର ଏବଂ ସାନଶଳା ରଞ୍ଜନ ମହାପାତ୍ର ପ୍ରତିଶୋଧ ପରାୟଣ ହୋଇପଡିଥିଲେ ।
ଗତ ଜୁଲାଇ ୬ତାରିଖ ରାତିରେ ଉଭୟ ଦୁଇଶଳା , ଭିଣୋଇ ରବିନ୍ଦ୍ର ଏବଂ ସାନଶଳାର ନାବାଳିକା ପ୍ରେମିକା ସମସ୍ତେ ମିଶି ରବିନ୍ଦ୍ର ହୋଟେଲରେ ମଦ୍ୟପାନ କରିଥିଲେ । ଅଧିକ ମଦ ଆବଶ୍ୟକ ହେବାରୁ ଶଳାକୁ ଦୋକାନ ପଠାଇ ନାବାଳିକା ପ୍ରେମିକା ସହ ଜୋର ଜବରଦସ୍ତ କରୁଥିବା ଉଭୟେ ଦେଖି ଦେଇଥିଲେ । ଏହାପରେ ରାଗରେ ଜର୍ଜରିତ ହୋଇ ରବିନ୍ଦ୍ରକୁ ଦୁଇ ଶଳା ମିଶି ବାଉଁଶ ଠେଙ୍ଗାରେ ପିଟି ଚେତାଶୂନ୍ୟ କରିବା ପରେ ତଣ୍ଟି ଓ ଅନ୍ୟାନ୍ୟ ସ୍ଥାନକୁ ଛୁରୀ ଓ ବ୍ଲେଡରେ କାଟି ହତ୍ୟା କରିଥିଲେ ।
ପୋଲିସ ଘଟଣାର ଅନୁସନ୍ଧାନ କରି ଶଳା ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନାବାଳିକା ପ୍ରେମିକାକୁ ଜୁଭେନାଇଲ କୋର୍ଟକୁ ପଠାଇ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ