ଯାଜପୁର: ପୁରୀ ଯାଉଥିବା ବେଳେ ବାଟରେ ଜଗିଥିଲା ଜମ । ତିନି ସାଙ୍ଗଙ୍କ ଉପରେ ମାଡିଗଲା ଅଜଣାଗାଡି । ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ତିନି ମୃତକ ହେଉଛନ୍ତି ଅଭିଷେକ ସର, ଅଞ୍ଚଳ ସାହୁ ଓ ଦେବାଶିଷ ନାୟକ।
ମିଳିଥିବା ସୂଚାନ ଅନୁଯାୟୀ, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଅଭିଷେକ, ଅଞ୍ଚଳ ଓ ଦେବାଶିଷ ଏକ ବାଇକ ଯୋଗେ ପୁରୀ ଅଭିମୁଖେ ବାହାରି ଥିଲେ । କଡେଇ ଛକ ନିକଟରେ ହୋଇଥିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ରାସ୍ତାରେ ପଡିଯାଇଥିଲେ । ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଭିଷେକଙ୍କ ଘର ଧର୍ମଶାଳା ଥାନା ମାନତିରା ଗ୍ରାମରେ ହୋଇଥିବା ବେଳେ ଅଞ୍ଚଳଙ୍କ ଘର ଚଡେଇଧରା ଓ ଦେବାଶିଷଙ୍କ ଘର ଜଗତପୁର ଅଞ୍ଚଳରେ। ମୃତକଙ୍କ ପରିବାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନାହିଁ।
ଗତ ମେ 1 ତାରିଖରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା । ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ମୃତକ ଜଣଙ୍କ କୁଜଙ୍ଗ ଥାନା ବାଗୋଇ ଗ୍ରାମର ସୁବାସ ସ୍ବାଇଁ । ସେହିଦିନ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଗୁରୁତର ହୋଇଥିଲେ । ଆହତ 12 ଜଣ ଦୁଇଟି ପରିବାରର ହୋଇଥିବା ବେଳେ ସମସ୍ତ ଆନ୍ଧ୍ରରୁ ନିଜ ଘରକୁ ଫେରୁଥିବା ଜଣାପଡିଥିଲା ।
ଏପ୍ରିଲ 28 ତାରିଖ ଦିନ ଅନୁଗୋଳ ଜିଲ୍ଲାର ବିକ୍ରମପୁର ଥାନା ଗୋବରା ଗାଁରେ ସଡକ ଦୁର୍ଘଟଣା ହୋଇଥିଲା । କାର ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବୃଦ୍ଧା ଓ ଦୁଇ ଶିଶୁଙ୍କ ଉପରେ ଚଢିଯାଇଥିଲା କାର । ନିଶା ଶକ୍ତ ଅବସ୍ଥାରେ କାରର ଡ୍ରାଇଭର ଦୁର୍ଘଟଣା ଘଟାଇଥିଲା ।
ଇଟିଭି ଭାରତ, ଯାଜପୁର