ଯାଜପୁର: ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ହଠାତ ବୃଦ୍ଧି ଫଳରେ ଭାସିଗଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳର ଚନ୍ଦନ ବେହେରା । ଗୋଟେ ତାଳଗଛର ଆଶ୍ରା ନେଇ ରହିଲେ ଦୀର୍ଘ 12 ଘଣ୍ଟା । ସୂଚନା ମୁତାବକ, ରସୁଲପୁର ବ୍ଳକର ଚନ୍ଦନ ବେହେରା ଗତକାଲି ରାତିରେ ଘର ଆଗରେ ଠିଆ ହୋଇଥିବା ସମୟରେ ହଠାତ ବନ୍ୟା ପାଣି ମାଡ଼ି ଆସିବା ଫଳରେ ଚନ୍ଦନଙ୍କୁ ଭସେଇ ନେଇଥିଲା ।
ତେବେ ଚନ୍ଦନ ଭାସି ଭାସି ଏକ ତାଳଗଛରେ ଅଟକି ରହିଥିଲେ । ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣିବାକୁ ପାଇ ନଥିଲେ । ତେବେ ଦୀର୍ଘ ୧୨ ଘଣ୍ଟା ଗଛରେ ରହିବା ପରେ ଗାଁଲୋକ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ ।
ତୁରନ୍ତ ଜିଲ୍ଲା ପ୍ରଶାସନ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ରଶି ସାହାଯ୍ୟରେ ଅନ୍ଧାର ରାତିରେ ଚନ୍ଦନକୁ ଉଦ୍ଧାର କରିଥିଲେ । ଚନ୍ଦନ ଉଦ୍ଧାର ହେବା ପରେ ତାଙ୍କ ଜୀବନ ବଞ୍ଚାଇଥିବାରୁ ସେ ଯାଜପୁର ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ