ଯାଜପୁର: ଥାଲାସେମିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ସ୍ଥାନୀୟ କ୍ଲବ୍ ଦି ୟୁଥମାସ୍ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ଥାଲାସେମିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁ ଓ ସେମାନଙ୍କ ଅବିଭାବକ ମାନଙ୍କୁ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲର ଡାକ୍ତର ହେମଲତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ରକ୍ତଦାନ ସମ୍ପର୍କିତ ସମସ୍ୟା ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ ।
ଥାଲାସେମିଆ ଏକ ବଂଶାନୁକ୍ରମିକ ରୋଗ ହୋଇଥିବା ବେଳେ ଏହା ବିଷୟରେ ଅଧିକ ଜାଣିବା ଓ ସଚେତନ ହେବା ଆବଶ୍ୟକ । ଫଳରେ ଏହି ରୋଗକୁ ଆଗକୁ ବଢିବାରୁ ରୋକାଯାଇ ପାରିବ ଏବଂ ଏହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର କହିଛନ୍ତି ।
ସେପଟେ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ଅଧିକ ଚିକିତ୍ସା ଓ ଏଥିପାଇଁ ସରକାରୀ ସହାୟତା ସମ୍ପର୍କରେ ଅବିଭାବକମାନେ ଅବଗତ ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିଲାଗି ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଇ ପାରିବ ବୋଲି ଆୟୋଜକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଥାଲାସେମିଆ ଆକ୍ରାନ୍ତ ଶିଶୁ ଓ ସେମାନଙ୍କ ଅବିଭାବକ ଉପସ୍ଥିତ ରହିଥିଲେ ।
ଯାଜପୁରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ