ଯାଜପୁର: ବିଦ୍ୟୁତ ବିଲ୍ ପଇଠ ନ କରିବାରୁ କଟିଲା ରାଷ୍ଟ୍ରାୟତ କମ୍ପାନୀର ବିଦ୍ୟୁତ ସଂଯୋଗ । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି । ମୁଖ୍ୟତଃ କାରଖାନାରେ କୋଇଲା ନଥିବା ଦର୍ଶାଇ 2020 ମାର୍ଚ୍ଚ 30ତାରିଖରେ 11ମିଲିୟନ୍ କ୍ଷମତା ସମ୍ପନ୍ନ କୋକୋଭାନ୍ ପ୍ଲାଣ୍ଟ ଏବଂ ସିପିପିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଯାହାଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବର ଏଥିରେ କାର୍ଯ୍ୟରତ 5 ହଜାରରୁ ଊର୍ଦ୍ଧ୍ବ ଶ୍ରମିକ କର୍ମଚାରୀ ଏବେ ଆଶା ଓ ଆଶଙ୍କାରେ ଅଛନ୍ତି । କଞ୍ଚାମାଲ ଅଭାବ ଓ ଆର୍ଥିକ କ୍ଷତି ଦର୍ଶାଇ ଏହି ରାଷ୍ଟ୍ରାୟତ ଉଦ୍ୟୋଗ ଉପରେ 56 କୋଟି 70ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡିଥିବାରୁ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ପକ୍ଷରୁ ଶନିବାର ସନ୍ଧ୍ୟାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି ।
ସେପଟେ କାରଖାନାର ପୁନରୁଦ୍ଧାର ପାଇଁ ଶ୍ରମିକ ଆନ୍ଦୋଳନ ଜାରି ରହିଥିବାବେଳେ ଏବେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ନେଇ ଶ୍ରମିକଙ୍କ ଭାଗ୍ୟ ଉପରେ କଳା ବାଦଲ ଢାଙ୍କି ଯାଇଛି । କାରଖାନାର ପୁନରୁଦ୍ଧାର କରିବା ସହିତ ବିଦ୍ୟୁତ୍ ସେବା ସଂଯୋଗ ପାଇଁ ଶ୍ରମିକ କର୍ମଚାରୀମାନେ ଦାବି ଜଣାଇଛନ୍ତି ।
ସୂଚନାଯୋଗ୍ୟ, ପରିଚାଳନାଗତ ତ୍ରୁଟି ଯୋଗୁଁ କ୍ରମାଗତ କ୍ଷତି ସହିବା ପରେ ଗତ 2020 ମାର୍ଚ୍ଚ ମାସ ଠାରୁ ଏହି ରାଷ୍ଟାୟତ୍ତ ଉଦ୍ୟୋଗକୁ ବନ୍ଦ କରିଦିଆଯାଇଥିଲା । ଶ୍ରମିକ ତଥା କର୍ମଚାରୀମାନଙ୍କୁ ଦୀର୍ଘ ଏକ ବର୍ଷ କାଳ ନିୟମିତ ଦରମା ନ ମିଳିବା ଫଳରେ କାରଖାନା ପାଖରେ ବାରମ୍ବାର ଆନ୍ଦୋଳନ ଚାଲିଥିବା ଦେଖାଯାଇଥିଲା । ମାତ୍ର କାରଖାନାଟି ବନ୍ଦ ହୋଇଯିବା ପରେ କାରଖାନା ପରିସରରେ କୋଟି କୋଟି ଟଙ୍କା ମୂଲ୍ୟର ଉତ୍ପାଦିତ ପିଗ୍ ଆଇରନ୍ ସହିତ ବିଭିନ୍ନ ମେସିନ୍ ଓ ସାମଗ୍ରୀ ପଡି ରହିଛି । ଏହାକୁ ବିକ୍ରି କରି ଶ୍ରମିକ କର୍ମଚାରୀମାନଙ୍କ ବର୍ଷକର ଦରମା ପଇଠ କରିବା ଏବଂ କାରଖାନା ପୁନରୁଦ୍ଧାର ପାଇଁ ବିନିଯୋଗ କରିବାକୁ ଲକ୍ଷ୍ୟ ରହିଥିଲା । ନିକଟରେ କେନ୍ଦ୍ର ସରକାର ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ଅର୍ଥ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କାରଖାନାର ଅଚଳାବସ୍ଥା ସହିତ କର୍ମଚାରୀମାନଙ୍କୁ ଦରମା ନ ମିଳିବା ଏବଂ ଏହା ପରେ ପରେ କାରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ନେଇ କାରଖାନାର ଶ୍ରମିକ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଛି । ତୁରନ୍ତ ସ୍ଥିତାବସ୍ଥା ବଜାୟ ରଖି କାରଖାନାକୁ ସ୍ବାଭାବିକ ଅବସ୍ଥାକୁ ଆଣିବାକୁ ଶ୍ରମିକ କର୍ମଚାରୀମାନେ ଦାବି ଜଣାଇଛନ୍ତି ।
ପୂର୍ବରୁ କାରଖାନା ବନ୍ଦ ହୋଇଯିବା ପରଠୁ ଅଧିକାଂଶ ସମୟରେ ଚୋରମାନେ କାରଖାନା ଭିତରକୁ ପ୍ରବେଶ କରି ରୀତିମତ୍ ଲୁଟପାଟ୍ ଚଳାଇ ଆସିଥିବା ସୂଚନା ମିଳିଥିଲା । ଏବେ କାରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯିବାରୁ ସମଗ୍ର କାରଖାନା ପରିସରରେ ଅନ୍ଧାରର ସୁଯୋଗ ନେଇ ଏହି ଚୋରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି ।
ଯେହେତୁ ଗତ କିଛି ମାସ ତଳେ ଏଥିରେ 8 ହଜାର 3ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଫଳରେ କାରଖାନାର ଶ୍ରମିକ କର୍ମଚାରୀ ଏବଂ କାରଖାନା ପାଇଁ ଜମି ହରାଇ କାରଖାନାରେ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ସଦସ୍ୟମାନେ ମଧ୍ୟ କାରଖାନର ପୂର୍ବସ୍ଥିତି ଫେରିବା ନେଇ ଆଶାବାଦୀ ଥିଲେ । ମାତ୍ର ଏବେ ବିଦ୍ୟୁତ୍ ବିଚ୍ଛିନ୍ନ ହେବା ପରେ ଏଠାରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ କାର୍ଯ୍ୟରତ 5 ହଜାରରୁ ଊର୍ଦ୍ଧ୍ବ ଶ୍ରମିକ କର୍ମଚାରୀ କାରଖାନାର ସାମ୍ପ୍ରତିକ ଅଚଳାବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି ।
ଏଭଳି ସ୍ଥିତିରେ ଉଭୟ ଓଡିଶା ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସାଧାରଣରେ କୁହାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ