ଯାଜପୁର: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ନିଃସ୍ବାର୍ଥପର ଅବଦାନକୁ ସମର୍ପଣ ଆଜିର ଦିନ। ଅଜ୍ଞାନ ରୂପକ ଅନ୍ଧାରରେ ଗୁରୁ ହିଁ ସାଜନ୍ତି ଆଲୋକର ବର୍ତ୍ତିକା। ନିଃସ୍ବାର୍ଥପର ଗୁରୁଙ୍କ କଥା ଆସିଲେ ମନକୁ ଆସେ ଚାଟଶାଳୀ ଶିକ୍ଷକ ନନ୍ଦ ସାରଙ୍କ କଥା। ଚାଟଶାଳୀ ମାଧ୍ୟମରେ ଅନ୍ୟୁନ ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି ନନ୍ଦ ସାର। କିନ୍ତୁ ଏବେ ଆରପାରିରେ ପଦ୍ମଶ୍ରୀ ସ୍ବର୍ଗତ ନନ୍ଦ କିଶୋର ପୃଷ୍ଟି। ସାରଙ୍କ ଆବର୍ତ୍ତମାନରେ ନିରବି ଯାଇଛି ପୁରା ଅଞ୍ଚଳ।
ନନ୍ଦ ସାର ପଦ୍ମଶୀ ପୁରସ୍କାର ପାଇବା ପରେ ଯେଉଁ ଅଞ୍ଚଳରେ ଦିନେ ଖୁସିର ଲହରୀ ଖେଳିଯାଇଥିଲା ଆଜି ସେହି ଅଞ୍ଚଳ ସ୍ତବ୍ଧ ପାଲଟି ଯାଇଛି। ଦୀର୍ଘ ୭୫ ବର୍ଷର ନିରବଚ୍ଛିନ୍ନ ନିଶୁଳ୍କ ଶିକ୍ଷାଦାନ ପାଇଁ ଅବଧାନେଙ୍କୁ ମିଳିଥିଲା ଦେଶର ସର୍ବୋଚ୍ଚ ପଦ୍ମ ସମ୍ମାନ। ସେ ପଦ୍ମଶ୍ରୀ ସମ୍ମାନରେ ବିଭୁଷିତ ହେବା ପରେ ଖୁସିରେ ଫାଟିପଡିଲା ଜନ୍ମମାଟି। ନନ୍ଦ ସାରଙ୍କ ଭଳି ସୁଯୋଗ୍ୟ ସନ୍ତାନ ପାଇଁ ଦିଲ୍ଲୀ ଦରବାରରେ ବଢ଼ିଲା କଳିଙ୍ଗ ମାଟିର ମାନ। କିନ୍ତୁ ଏ ଖୁସି ବେଶୀ ଦିନ ପାଇଁ ରହିଲା ନାହିଁ । କରୋନାରେ ସଂକ୍ରମିତ ହୋଇ ୧୦୨ବର୍ଷ ବୟସରେ ଆଖି ବୁଜିଲେ ସାର। ନନ୍ଦ ସାରଙ୍କ ବିୟୋଗରେ ସବୁ ମହଲରେ ଖେଳିଗଲା ଶୋକର ଛାୟା। ପିଢ଼ି ପରେ ପିଢ଼ି ନିଜ ଗାଁର ପିଲାଙ୍କୁ ପାଠ ପଢାଇବା ଥିଲା ସାରଙ୍କ ନିଶା । ଆଜି ସେଇ ଚାଟଶାଳୀ ଅଛି କିନ୍ତୁ ନାହାନ୍ତି ଅବଧାନେ ଆଜ୍ଞା। ଆଉ ଶୁଣିବାକୁ ମିଳୁନାହିଁ ପିଲାଙ୍କ କୋଳାହଳର ଶବ୍ଦ। ଦୀର୍ଘ ୭୫ ବର୍ଷ ଧରି ଅବିରତ ବହି ଯାଉଥିବା ଶିକ୍ଷାର ଧାରା ଆଜି ଶୁଖି ଯାଇଛି।
୧୯୪୬ ମସିହାରେ ନନ୍ଦ ସାର ଆରମ୍ଭ କରିଥିବା ଚାଟଶାଳୀ ଇତି ମଧ୍ୟରେ ଅତିକ୍ରମ କରିଥିଲା । ପିଢ଼ି ପରେ ପିଢ଼ି ନନ୍ଦ ସାର ଗଢି ଚାଲିଥିଲେ ଦେଶର ଭବିଷ୍ୟତ। ବିନା ମୂଲ୍ୟରେ ବିନା ସ୍ବାର୍ଥରେ ବାଣ୍ଟି ଚାଲିଥିଲେ ବିଦ୍ୟା ରୂପକ ଧନ। ନନ୍ଦସାରଙ୍କ ନିକଟରେ ପାଠ ପଢ଼ି କନ୍ତିରା ଗ୍ରାମର ବହୁ ଛାତ୍ରଛାତ୍ରୀ ଉଚ୍ଚ ପଦପଦବୀରେ ମଧ୍ୟ ରହିଛନ୍ତି। ୧୦୨ ବର୍ଷୀୟ ନନ୍ଦ ସାରଙ୍କ ଚାଟଶାଳୀରେ ଶେଷ ବେଳକୁ ମଧ୍ୟ ୩୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ସକାଳ ସଞ୍ଜେ ଚାଟଶାଳୀରୁ ଆଉ ଶୁଭୁନି କୁନିକୁନି ପିଲାଙ୍କ ପଣିକିଆ ଡାକ । କାରଣ ଚାଟଶାଳୀ ଛାଡ଼ି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଅବଧାନେ। ମହାମାରୀ ଛଡ଼ାଇ ନେଇଛି ଶିଷ୍ୟଙ୍କ ଠାରୁ ସେମାନଙ୍କ ଦ୍ରୋଣାଚାର୍ଯ୍ୟ ପରି ଗୁରୁଙ୍କୁ। ମାତ୍ର ଆଜିବି ଖାଲି ପଡ଼ିଛି ନନ୍ଦ ସାରଙ୍କ ସ୍ଥାନ । ତିନି ପିଢ଼ି ଶିକ୍ଷାର ଭାର ବୋହିଥିବା ଏହି ମହାପୁରୁଷ ଆଜି ମୃତ୍ୟୁ ପରେ ବି ଅମର l
ଇଟିଭି ଭାରତ, ଯାଜପୁର