ଯାଜପୁର: ଜିଲ୍ଲାର ବ୍ୟାସନଗରସ୍ଥିତ ବେଣାପୁର ଟ୍ରାଫିକ ଛକରେ ଷ୍ଟ୍ରିଟ ଲାଇଟ ସମସ୍ୟାକୁ ନେଇ ଏନଏଚଆଇ ଅଧିକାରୀଙ୍କୁ ଘେରିଲେ ସ୍ଥାନୀୟ ବାସିନ୍ଦା । ଏହି ଟ୍ରାଫିକ ଛକ ଏକ ଜନବହୁଳ ସ୍ଥାନ ହୋଇଥିବାବେଳେ ଏଠାରେ ଷ୍ଟ୍ରିଟ ଲାଇଟ ନ ଜଳୁଥିବା ଯୋଗୁଁ ଅନେକ ସମୟରେ ନାନା ଦୁର୍ଘଟଣା ଘଟୁଛି । ଏନେଇ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ ମଧ୍ୟ କେହି ଶୁଣିନଥିଲେ । ଏଣୁ ବାଧ୍ୟ ହୋଇ ସେମାନେ ଏନଏଚଆଇ ଅଧିକାରୀଙ୍କୁ ଘେରାଉ କରିଛନ୍ତି ।
ସୂଚନାଯୋଗ୍ୟ, ବେଣାପୁର ଟ୍ରାଫିକ ଛକ ଦେଇ ପ୍ରତିଦିନ କେନ୍ଦୁଝର ଜିଲ୍ଲାକୁ ଶହ ଶହ ଗାଡି ମଟର ଯାତାୟତ କରିଥାଏ । ଛକରେ ପ୍ରତ୍ୟେକ ଦିନ ବହୁଳ ଗାଡି ଠିଆ ହେଉଥିବାରୁ ଟ୍ରାଫିକ ଛକକୁ ଆଲୋକୀକରଣ କରାଯାଇଥିଲା । ମାତ୍ର ବର୍ଷେ ନ ପୁରୁଣୁ ଏହା ଖରାପ ହୋଇଯାଇଥିଲା । ଯାହାଫଳରେ ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟୁଛି । ଦୀର୍ଘ ଦିନ ଧରି ଅଚଳ ଲାଇଟ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ବହୁବାର ଦାବି କରିଥିଲେ ବି କେହି କର୍ଣ୍ଣପାତ କରିନଥିଲେ । ଶନିବାର ଏନଏଚଆଇର ବରିଷ୍ଠ ଅଧିକାରୀ ରାମପ୍ରସାଦ ପଣ୍ଡା ସ୍ଥାନୀୟ ଅଞ୍ଚଳକୁ ଆସିବା ଶୁଣି ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ଅଧିକାରୀଙ୍କୁ ଘେରାଉ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ । ତେବେ ବରିଷ୍ଠ ଅଧିକାରୀ ରାମପ୍ରସାଦ ସେମାନଙ୍କ କଥା ଶୁଣିବା ସହ 7 ଦିନ ଭିତରେ ଲାଇଟ ଜଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ