ଯାଜପୁର: ଜମିବାଡ଼ିକୁ କେନ୍ଦ୍ର କରି ମାଆକୁ ଆକ୍ରମଣ କଲା ପୁଅ । ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର ମିନାରାଣୀଙ୍କୁ ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ କରିଛନ୍ତି ତାଙ୍କ ସାବତ । ଏହାକୁ ନେଇ ମହିଳା ଜଣକ ପାଣିକୋଇଲିସ୍ଥିତ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ।
ମଧୁସୂଦନପୁର ଗାଁରେ ଦଶରଥ ମଳିକ ଦୁଇଟି ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ତିନୋଟି ପୁଅ ରହିଛନ୍ତି । ସେପଟେ ଦ୍ବିତୀୟ ପତ୍ନୀ ମୀନାରାଣୀଙ୍କ ଠାରୁ ମଧ୍ୟ ତାଙ୍କର ଦୁଇଟି ଝିଅ ରହିଛନ୍ତି । କିଛି ଦିନ ପୂର୍ବେ ମିନାରାଣୀଙ୍କ ଝିଅ ବିବାହ ହୋଇଥିଲା । ତେବେ ଏହି ବିବାହରେ ମିନାରାଣୀ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଥିଲେ ତାଙ୍କ ସାବତ ପୁଅ ।
ଏହାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ କରିବାକୁ ଦାବି କରିଥିଲେ ତିନି ପୁଅ । ଏହା ନ କଲେ ଗାଁରେ ଥିବା 6 ଗୁଣ୍ଠ ଜମି ତାଙ୍କ ନାମରେ କରିବାକୁ ଦାବି କରିଥିଲେ। ଏଥିରେ ଆପତ୍ତି କରିବାରୁ ମୀନାରାଣୀଙ୍କୁ ମାଡ଼ ମାରିଥିଲେ ଦଶରଥଙ୍କ ପୁଅ ପବିତ୍ର ମଳିକ ଓ ବିଚିତ୍ର ମଳିକ ।
ଏହାକୁ ନେଇ ଜେନାପୁର ଥାନାରେ ଅଭିଯୋଗ କରିଥିଲେ ମହିଳା । ତେବେ ସେଠାରେ ନ୍ୟାୟ ନ ମିଳିବାରୁ ଯାଜପୁର ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ମିନାରାଣୀ । ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି ରାହୁଲ ପିଆର କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ