ଯାଜପୁର: ଶିଳ୍ପ ଜିଲ୍ଲା ଯାଜପୁରରେ ଏମଏସଏମଇ ବିଭାଗ ଅଧିନସ୍ଥ କ୍ଷୁଦ୍ର-ମଧ୍ୟମ ଶିଳ୍ପସଂସ୍ଥା ମାନଙ୍କ କଥା ବୁଝିବାକୁ କାର୍ଯ୍ୟକ୍ଷମ ହୋଇଛି କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ବା ଡିଆଇସି ଅଫିସ୍ । କିନ୍ତୁ ଦୁଃଖର କଥା ଏଥିପାଇଁ ଭିତ୍ତିଭୂମି ଓ ବିଲଡିଂର ନିର୍ମାଣ କରାଯାଇ ସାରିଥିଲେ ମଧ୍ୟ ଏହା ଏବେ ବି କାମ କରୁଛି କଟକ ଜିଲ୍ଲାର ଜଗତପୁରରେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତୁରନ୍ତ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ଆଣିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ସୋସିଆଲ ୟୁଥ୍ କ୍ଲବ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଳିଙ୍ଗନଗର ସମଗ୍ର ଏସିଆ ମହାଦେଶର ବୃହତ ଇସ୍ପାତ ଶିଳ୍ପାଞ୍ଚଳ ଭାବେ ପରିଚିତ ହୋଇଛି । ଏହି ଶିଳ୍ପାଞ୍ଚଳର ଟାଟା, ଜିନ୍ଦଲ, ମେସ୍କୋ, ନୀଳାଚଳ ଓ ଭିସା ଭଳି ବୃହତ ଶିଳ୍ପ କାରଖାନାକୁ ବାଦ ଦେଲେ ଏହାର ଆଖପାଖ ଅଞ୍ଚଳରେ ପନ୍ଦରରୁ ଊର୍ଦ୍ଧ୍ବ ମଧ୍ୟମ ଓ ଲଘୁ ଶିଳ୍ପସଂସ୍ଥା ଗଢି ଉଠିଛି । ସେହିପରି ସୁକିନ୍ଦା ଖଣି ଉପତ୍ୟକା ମୂଲ୍ୟବାନ୍ କ୍ରୋମାଇଟ୍ ଧାତବ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି । ଏସବୁକୁ ବାଦ ଦେଲେ ଏହାର ଆଖପାଖ ଅଞ୍ଚଳରେ ପନ୍ଦରରୁ ଉର୍ଦ୍ଧ କ୍ଷୁଦ୍ର-ମଧ୍ୟମ ଶିଳ୍ପସଂସ୍ଥା ମଧ୍ୟ ଗଢି ଉଠିଛି ।
ରାଜ୍ୟ ସରକାର ମେକ ଇନ୍ ଓଡିଶା ନାଁରେ କ୍ଷୁଦ୍ର ଶିଳ୍ପର ବିକାଶ କଥା କହୁଥିବା ବେଳେ ନିବେଶକଙ୍କୁ ନିମନ୍ତ୍ରଣ କରୁଛନ୍ତି । ତେବେ ଏଠାକୁ ଡିଆଇସି ଅଫିସ୍ ସ୍ଥାନାନ୍ତର ନହେବା ନେଇ ଜିଲ୍ଲାରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ସହ ମୁଣ୍ଡ ଟେକୁଛି ଆନ୍ଦୋଳନ । ଅନ୍ୟପଟେ ଜିଲ୍ଲାପାଳ ଏଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ତେବେ ମାମଲା ଅଦାଲତରେ ବିଚାରାଧିନ ଥିବାରୁ ଏଥିରେ ସମ୍ୟକ୍ ବିଳମ୍ବ ଘଟିଛି । ଖୁବ୍ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ