ଯାଜପୁର: ବ୍ୟାସନଗରରେ ମା ବିରଜାଙ୍କ ଆଉ ଏକ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ମା ବିରଜାଙ୍କ ମନ୍ଦିରର ସେବାୟତଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଜିଲ୍ଲାପାଳ କହିଲେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯାଜପୁରର ବ୍ୟାସନଗରରେ ମା ବିରଜାଙ୍କ ମନ୍ଦିର ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି । ମା ବିରଜାଙ୍କ ପ୍ରଚାର ଉଦ୍ଦେଶ୍ୟରେ ଏହି ମନ୍ଦିରଟି ନିର୍ମାଣ କରାଯାଉଥିବା ଦର୍ଶାଇଛନ୍ତି ମନ୍ଦିର ନିର୍ମାତା । ଏଥିପାଇଁ ସେ ମନ୍ଦିରର କିଛି ବରିଷ୍ଠ ପୂଜକଙ୍କ ସହ ଆଲୋଚନା କରି ପରାମର୍ଶ ନେଇଛନ୍ତି । ବ୍ୟାସନଗର ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହାକୁ ସମର୍ଥନ ମଧ୍ୟ ଜଣାଇଛନ୍ତି । ମାତ୍ର ପୂଜକଙ୍କ କହିବା କଥା ହେଲା ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମା ବିରଜା ନିଜ କ୍ଷେତ୍ର ମଧ୍ୟରେ ବହୁ କାଳରୁ ଯାଜପୁର ସହରରେ ଥିବା ପ୍ରାଚୀନତମ ମନ୍ଦିରରେ ପୂଜା ପାଇ ଆସୁଛନ୍ତି । ଅନ୍ୟ ସ୍ଥାନରେ ମା ପୂଜା ପାଇବା ଶାସ୍ତ୍ର ବିରୋଧୀ ଏବଂ ଏହା ଦ୍ବାରା ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହେବ । ଏଭଳି ମନ୍ଦିର ପ୍ରତିଷ୍ଠା ହେଲେ ହିନ୍ଦୁ ମାନଙ୍କ ମଧ୍ୟରେ ଧର୍ମୀୟ ଭାବନାରେ ଆଘାତ ଲାଗିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ତେବେ ବ୍ୟାସନଗରରେ ମନ୍ଦିର ନିର୍ମାଣକୁ ବିରୋଧ କରାଗଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ମତ ଦେଇଛନ୍ତି ।
ମା ବିରଜାଙ୍କ ମନ୍ଦିରର ସେବାୟତଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମନ୍ଦିର ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି ହୋଇଛି । ଏ ନେଇ ଆଗାମୀ ଦିନରେ ଯାଜପୁର ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଆବଶ୍ୟକ ପଡିଲେ ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ସେପଟେ ଘଟଣାର ତଦନ୍ତ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏବେ କେବଳ ପ୍ରଶାସନିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ