ଯାଜପୁର: ଏଥର ହସିବ ଫସଲ । ସାକାର ହେଲା ଚାଷୀଙ୍କ ସ୍ବପ୍ନ । ଚାଷଜମିକୁ ମାଡ଼ିଲା ରେଙ୍ଗାଲି କେନାଲ ପାଣି । ଆଉ ଚାଷ କାର୍ଯ୍ୟରେ ଉପୁଜିବନି ଜଳ ସମସ୍ୟା। ଉପକୃତ ହେବେ ହଜାର ହଜାର ଚାଷୀ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଗୁରୁବାର ରେଙ୍ଗାଲି ବାମ ପାର୍ଶ୍ଵ କେନାଲରୁ ପ୍ରଥମଥର ପାଇଁ ପାଣି ଛଡାଯାଇଛି । ଯାଜପୁର ସୁକିନ୍ଦା ବ୍ଲକ ବନ୍ଧୁଗାଁ ନିକଟରେ ଏହାର ଉଦଘାଟନ କରି ଶୁଭାରମ୍ଭ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ । ଏହି କେନାଲ ଦ୍ଵାରା ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ହଜାର ହଜାର ଚାଷୀ ଉପକୃତ ହେବେ । ଜଳସେଚିତ ହୋଇପାରିବ ହଜାର ହଜାର ଏକର ଚାଷଜମି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାଷୀ।
ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଗୁରୁବାର ରେଙ୍ଗାଲି ପ୍ରକଳ୍ପରୁ ଯାଜପୁର ବିଭିନ୍ନ ବ୍ଲକ ଚାଷଜମିକୁ ଜଳ ସେଚନ ବ୍ୟବସ୍ଥା ହୋଇ ପାରିଛି । ୩ଟି ଡିଷ୍ଟ୍ରିବ୍ୟୁଟେରୀ ଓ ୯ଟି ମାଇନର୍ କେନାଲ ଯୋଗେ ଏହି ଜଳ ଯୋଗାଣ କରାଯାଇଛି । ଯେଉଁଥିରେ ପ୍ରାୟ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ପାରିବ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁରେ ଆଜି ଏହାକ ଉଦଘାଟନ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୩ ମସିହା ଜାନୁଆରୀ ୫ ତାରିଖରେ ରେଙ୍ଗାଲି ମେଗା ପ୍ରକଳ୍ପର ୨୯ କିଲୋମିଟର ଅର୍ଥାତ୍ ଯାଜପୁର ଜିଲ୍ଲା ସିମାନ୍ତ ସୁକିନ୍ଦା ବ୍ଲକ ବରଗଜି ଗ୍ରାମରୁ ସଂସାଇଲୋ ପର୍ଯ୍ୟନ୍ତ ରେଙ୍ଗାଲି ମୁଖ୍ୟ କେନାଲ ଖନନ ପାଇଁ ଶୁଭ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ଓ ଜାପାନର ଜାଇକା ସଂସ୍ଥାର ସହଯୋଗରେ ରେଙ୍ଗାଲି ଡ୍ୟାମର ପାଣି ଢ଼େଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୯୭,୪୦୦ ଏକର ଜମିରେ ପହଞ୍ଚାଇବା ପାଇଁ ୨୨ ଶହ ୫୫ କୋଟି ୧୫ ଲକ୍ଷର ବ୍ୟୟ ବରାଦ କରାଯାଇଥିଲା।
ତେବେ ଦୀର୍ଘ ୮ ବର୍ଷ ପରେ ରେଙ୍ଗାଲି କେନାଲରୁ ପାଣି ଛଡ଼ା ଯାଇଛି । ଫଳରେ ଚାଷୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୁକିନ୍ଦା, କୁହିକା ଓ ଦାମୋଦରପୁର ଡିଷ୍ଟ୍ରିବ୍ୟୁଟେରୀ ସହିତ ଭାଲୁକିପାତାଳି, କାଦୁଅବନ୍ଦୀ, ଜେମାଦେଈପୁର ଓ ନୂଆଡିହ ପରି ପ୍ରାୟ ୯ ଟି ମାଇନର୍ କେନାଲ ଯୋଗେ ଜଳ ଯୋଗାଣ କରାଯାଇଛି । ସୁକିନ୍ଦା ଡିଷ୍ଟ୍ରିବ୍ୟୁରେରୀର ସିଂହଭାଗ ଜଳ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳକୁ ମାଡିବ।
ଅନ୍ୟ ସମସ୍ତ ଡିଷ୍ଟ୍ରିବ୍ୟୁଟେରୀ ଓ ମାଇନର୍ କେନାଲର ଜଳ ସମ୍ପୁର୍ଣ୍ଣ ଭାବେ ସୁକିନ୍ଦା ଅଞ୍ଚଳର ଚାଷ ଜମିରେ ପହଞ୍ଚିବ । ତେବେ ପରବର୍ତ୍ତୀ ସମୟରେ ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ଅନ୍ୟ ପଞ୍ଚାୟତ ହେବ ଜଳସେଚିତ। ଚାଷୀମାନେ ଯେପରି କେବଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ନହେବେ, ସେଥିପାଇଁ ଜଳସେଚନକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରତିବର୍ଷ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ