ଯାଜପୁର: ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଏବେ ସବୁଠି ଅସନ୍ତୋଷର ନିଆଁ କୁହୁଳୁଛି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ଯାଜପୁର ରସୁଲପୁର ବ୍ଲକରେ ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ଏହା ବିରୋଧରେ ଲୋକେ ବଡ଼ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି । ଦୈନିକ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ପ୍ରଚଣ୍ଡ ରୌଦ୍ରତାପରେ କଲବଲ ହେଉଛନ୍ତି । ବିଦ୍ୟୁତ ବିଭ୍ରାଟ ପାଇଁ ପାନୀୟ ଜଳ, ଚାଷ ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇଛି । ସେପଟେ ବିଦ୍ୟୁତ୍ କୋଇଲା ଅଭାବ ଓ ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ୍ କାଟ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ଗତ କିଛିଦିନ ହେବ ରାଜ୍ୟରେ ରୌଦ୍ରତାପ ପ୍ରଚଣ୍ଡ ହୋଇଛି । ଦିନବେଳା ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ନଠୁଆବର, ଜାବରା, ଆଦମପୁର, ଶ୍ରୀବନ୍ତପୁର, ମଧୁବନ ଓ କୃଷ୍ଣପଡା ଆଦି ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ହନ୍ତସନ୍ତ ହେଉଛନ୍ତି ଲୋକେ । ଦୈନିକ ଏହିସବୁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ କରାଯାଉଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବିଦ୍ୟୁତ ନଥିବାରୁ ପାନୀୟ ଜଳ ସମେତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇଛି ।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଓ ଜଳ ସଙ୍କଟ ଜନିତ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥିସହିତ ଏହି ଅଞ୍ଚଳରେ ବ୍ୟାପକ ପନିପରିବା ଚାଷ ହେଉଥିବା ବେଳେ ମାତ୍ରାଧିକ ବିଦ୍ୟୁତ୍ କାଟ ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜିଥିବା ଅଭିଯୋଗ କରିଛନ୍ତି ଚାଷୀ । ସେହିପରି ବିଦ୍ୟୁତ୍ ବିଲ୍ ପୈଠ କରୁଥିଲେ ମଧ୍ୟ ଅଯଥାରେ ସାଧାରଣ ଉପଭୋକ୍ତାଙ୍କ ଲାଇନ୍ କଟା ଯାଉଥିବା ଅଭିଯୋଗ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ବିଦ୍ୟୁତ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ମରାମତି ଅଭାବରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳୁଛି ହେଲେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଦୌ ଖାତିର ନାହିଁ ।
ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଲୋକେ ଗ୍ରାମାଞ୍ଚଳ ବିଦ୍ୟୁତ୍ ଉପଭୋକ୍ତା ଏକତା ମଞ୍ଚ ଗଠନ କରି ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଏଥିସହିତ ମଞ୍ଚ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ତେବେ ଯଥାଶୀଘ୍ର ବିଦ୍ୟୁତ୍ ସମସ୍ୟାର ସମାଧାନ ଓ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ କୋଇଲା ଅଭାବ ଓ ମେଣ୍ଟେନାନ୍ସ ଓ୍ବାର୍କ ପାଇଁ ଏଭଳି ବିଦ୍ୟୁତ୍ କାଟ୍ ହେଉଛି ।
ତେବେ ଏହି ସମସ୍ୟା ଦୂର କରିବାକୁ ପ୍ରଚେଷ୍ଟା ଜାରି ରହିଥିବା ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ । ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ବିଦ୍ୟୁତ ସରବରାହ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ଅଧିକ ବିଲ୍ ଆଦାୟ କରୁଛି, ହେଲେ ଉପଯୁକ୍ତ ସେବା ଯୋଗାଇ ଦେବାରେ ବିଫଳ ହେଉଛି । ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ