ଯାଜପୁର: ଜିଲ୍ଲାର ପାଣିକୋଇଲି ଥାନା ଜହ୍ନା ଗାଁରେ ଥିବା କାନାଡା ବ୍ୟାଙ୍କ ଲୁଟ ଘଟଣା । ପୋଲିସ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ ୫ଟି ମୋବାଇଲ ଫୋନ, କାର, ଗ୍ୟାସ କଟର ଆଦି ଜବତ କରିଛି । ସେମାନଙ୍କ ଉପରେ ଆଇପିସି ଧାରା ୪୫୭, ୩୮୦ ଓ ୫୧୧ ଲାଗିଥିବା ଜଣାପଡ଼ିଛି ।
ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲାର ରଜନୀକାନ୍ତ ବେହେରା, ଭଦ୍ରକ ଜିଲ୍ଲାର ଅନୀଲ ରାଉତ, ପାଣିକୋଇଲି ଥାନା ତାଲୁଗାଁ ଗାଁର ରୋହିତ ମଲ୍ଲିକ ଓ ସୋଲପଟା ଗାଁର ବିକ୍ରମ ମଲିକ ବୋଲି ଜଣାପଡି଼ଛି ।
ସୂଚନା ମୁତାବକ ଗତ ନଭେମ୍ବର ୨୮ ତାରିଖ ବିଳମ୍ବିତ ରାତିରେ କିଛି ଲୁଟେରା ଜହ୍ନା କାନାଡା ବ୍ୟାଙ୍କ ଲୁଟ ପାଇଁ ଉଦ୍ୟମ କରିଥିଲେ । ପରଦିନ ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗ ପରେ ପାଣିକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ବ୍ୟାଙ୍କରେ ଲାଗିଥିବା ସିସିଟିଭି ସୁରାକ ପାଇ ପୋଲିସ ପ୍ରଥମେ ରୋହିତ, ମେଘଦୂତ ଓ ବିକ୍ରମଙ୍କୁ ଧରି ପଚରାଉଚରା କରିବା ପରେ ମାଷ୍ଟର ମାଇଣ୍ଡ ରଜନୀକାନ୍ତ ଓ ଅନୀଲଙ୍କ ସମ୍ପର୍କରେ ସୁରାକ ପାଇଥିଲା । ପରେ ସେମାନଙ୍କୁ ଉଠାଇ ଆଣିଥିଲା । ପୋଲିସ ତଦନ୍ତ ପରେ କେସ ନମ୍ବର ୩୧୫/୨୧ ଓ ଆଇପିସି ଧାରା ୪୫୭, ୩୮୦ ଓ ୫୧୧ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ