ଯାଜପୁର: ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିଲା ଯାତ୍ରା ରଙ୍ଗମଞ୍ଚ । କୋଭିଡ଼ ମହାମାରୀ ଯୋଗୁଁ ଦୀର୍ଘ ଦେଢବର୍ଷ କାଳ ଯାତ୍ରା ଜଗତକୁ ଢାଙ୍କି ରହିଥିଲା କଳାବାଦଲ । ବନ୍ଦ ହୋଇ ରହିଥିଲା ମଞ୍ଚ ପ୍ରଦର୍ଶନ । ପେଟପାଟଣାକୁ ହରାଇ ଶହ ଶହ ଯାତ୍ରା କଳାକାର ଘରେ ମୁହଁ ମାଡ଼ି ବସି ରହିଥିଲେ। ଯାତ୍ରାପାର୍ଟି ମାଲିକଙ୍କଠାରୁ ଆରମ୍ଭ କରି କଳାକାର ଓ ଦର୍ଶକଙ୍କ ମଧ୍ୟରେ ଦେଖାଦେଇଥିଲା ନୈରାଶ୍ୟତା । ଫଳରେ ହତୋତ୍ସାହିତ ହୋଇପଡିଥିଲେ କଳାକାର । କିନ୍ତୁ ସରକାରଙ୍କ ଅନୁମତି ପରେ ଏବେ ପୁଣି କଟକଣା କୋହଳ ଭିତରେ ଆରମ୍ଭ ହୋଇଛି ଦିନରେ ଯାତ୍ରା । ଯାଜପୁର ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଡ଼ିଆରେ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛି ।
ଫଳରେ ପୁଣି ଗ୍ରୀନରୁମରେ ପ୍ରବେଶ କରି ମୁହଁରେ ରଙ୍ଗ ମାଖିଛନ୍ତି ଯାତ୍ରା କଳାକାର । ପ୍ରଦର୍ଶନ କରିଛନ୍ତି ସେମାନଙ୍କର ନିଖୁଣ ଅଭିନୟ । ନାଳିନେଳି ଆଲୁଅରେ ଦୀର୍ଘ ସମୟ ପରେ ଝଲସି ଉଠିଛି ଯାତ୍ରାମଞ୍ଚ । ଦୀର୍ଘଦିନ ପରେ ଯାତ୍ରା ଦେଖିବାର ସୁଯୋଗ ପାଇ ଦର୍ଶକ ଯେତିକି ଖୁସି ତାଠୁ ବେଶୀ ଖୁସି ହୋଇଛନ୍ତି ଯାତ୍ରା କଳାକାର । ଅଭିନେତା, ଅଭିନେତ୍ରୀ ଓ ପାର୍ଶ୍ବ ଅଭିନେତାଙ୍କ ଠାରୁ ଆରମ୍ଭ କରି ଖଳନାୟକ, କମେଡିଆନ୍ ଓ ଚରିତ୍ର ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଆତ୍ମବିଭୋର ହୋଇ ଉଠିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଯାତ୍ରା ଦେଖିବାର ସୁଯୋଗ ପାଇ ସରକାର ଏବଂ ପ୍ରଶାସନ ନିକଟରେ କୃତଜ୍ଞ ଦର୍ଶକ । ବରିଷ୍ଠ ଏବଂ ପେଶାଦାର ଯାତ୍ରା କଳାକାରମାନେ ମଧ୍ୟ ଏଥିପାଇଁ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।
କୋଭିଡ଼ କଟକଣା ମଧ୍ୟରେ ଯାତ୍ରା ହେଉଛି । ଅପରାହ୍ନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି । ଦିନ ସମୟରେ ଯାତ୍ରା ହେଉଥିଲେ ମଧ୍ୟ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ସମସ୍ତେ କୋଭିଡ଼ ନିୟମ ମାନି ଯାତ୍ରା ଦେଖୁଛନ୍ତି । ଯାତ୍ରା ଅନୁଷ୍ଠାନ ପକ୍ଷରୁ ମଧ୍ୟ ମାସ୍କ ପିନ୍ଧିନଥିବା ଦର୍ଶକଙ୍କୁ ମାସ୍କ ବଣ୍ଟନ କରାଯାଉଛି । ଜନତା ଜନାର୍ଦ୍ଦନଙ୍କୁ ନିକଟରେ ପାଇ ବେଶ ଖୁସି ଥିବା କହିଛନ୍ତି ବରିଷ୍ଠ କଳାକାର କୈଳାସ ବେହେରା । ଅଭିନୟ ସମୟରେ ଦର୍ଶକଙ୍କ କରତାଳି ଶୁଣି ମଧ୍ୟ କଳାକାରମାନେ ଖୁସିରେ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ଦ୍ବିପ୍ରହର ଭୋଜନ ପରେ ଆସି କଳାକାରମାନେ ମଞ୍ଚ ଉପରେ ଅଭିନୟ କରୁଛନ୍ତି । କଷ୍ଟ ହେଉଥିଲେ ମଧ୍ୟ ସେଥିରେ ବେଶ ଖୁସି ବୋଲି କହିଛନ୍ତି ହାସ୍ୟ କଳାକାର କଣ୍ଢେଇ ବିଶ୍ବାଳ ।
କୋଭିଡ଼ କଟକଣା କୋହଳ ହେବା ପରେ ପ୍ରଶାସନ ପକ୍ଷରୁ ଛତିଆରେ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ଯାତ୍ରା କଳାକାର, ଆୟୋଜକ ଓ ମାଲିକ ଦର୍ଶକଙ୍କ ସହଯୋଗ କାମନା କରିଛନ୍ତି । ଧୀରେ ଧୀରେ ସ୍ଥିତି ସୁଧୁରିଛି । ପୁଣି ଯାତ୍ରାମଞ୍ଚରେ ରଙ୍ଗୀନ ଆଲୋକ ଦେଖିବାକୁ ମିଳିଛି । ଯାହାକୁ ନେଇ ଉଭୟ କଳାକାର ଓ ଦର୍ଶକ ବେଶ ଖୁସିଥିବା କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ