ଯାଜପୁର: ଲୋକାର୍ପଣ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । ସବୁଠି ଉତ୍ସବ ଓ ଉତ୍ସାହର ମାହୋଲ । ଏହି ଅବସରରେ ଯାଜପୁର ଜିଲ୍ଲା କୋରାଇ ବ୍ଲକର ପଚ୍ଛିକୋଟ ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମନ୍ତ୍ର ଓ ବେଦ ପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଯଜ୍ଞ ଜାରି ରହିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ସାଧୁସନ୍ଥ ସାମିଲ ହୋଇଛନ୍ତି । ଏଥିସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣ ଉପସ୍ଥିତ ରହିଛନ୍ତି ।
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ସେପଟେ ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା, ଯାଜପୁର, ବିଂଝାରପୁର, ବରୀ, ବଡ଼ଚଣା, ସୁକିନ୍ଦା ଓ କୋରେଇ ଆଦି 7ଟି ନିର୍ବାଚନ ମଣ୍ଡଳୀର 10 ବ୍ଲକ ଓ ଦୁଇଟି ପୌର ପରିଷଦରେ ଏହି ଉତ୍ସବକୁ ଧୁମ ଧାମରେ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏହି ଉତ୍ସବରେ ଅନେକ ଲୋକ ସାମିଲ ହେଉଥିବାରୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ସାଧୁ, ସ୍ବାମୀ ଉଦୟାନନ୍ଦ ପର୍ବତ ମହାରାଜ କହିଛନ୍ତି, "ବିଶ୍ବପ୍ରାଣ ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରାଯାଉଛି । ଏହାର ପ୍ରତିକଳ୍ପ ସ୍ବରୁପ କୋରେଇ ବ୍ଲକ ଅନ୍ତର୍ଗତ ପଚ୍ଛିକୋଟ ଜଗନ୍ନାଥ ମନ୍ଦିରରେ ଆଜି ଏକ ଭବ୍ୟ ଆୟୋଜନ କରାଯାଇଛି । ଯଜ୍ଞ ଚାଲିଛି, ସଂକିର୍ତ୍ତନ ଚାଲିଛି, ସାଧୁ ସନ୍ଥମାନେ ଉପସ୍ଥିତ ହୋଇଛନ୍ତି । ଓଡ଼ିଆଙ୍କ ଘରେ ଘରେ ଆଜି ଜଗନ୍ନାଥ ପହଞ୍ଚିଛନ୍ତି । ଓଡ଼ିଶା ସରକରାରଙ୍କ ଏହି କାର୍ଯ୍ୟକ୍ରମ ଆଜି ବିଶ୍ବରେ ପ୍ରଶଂସା କରାଯାଉଛି । ଏହା ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ।"
ଏହା ମଧ୍ୟ ପଢ଼ନ୍ତୁ......ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉତ୍ସବମୁଖର ପୁରୀ, ସରକାରଙ୍କ ପଦକ୍ଷେପଙ୍କୁ ଭକ୍ତଙ୍କ ପ୍ରଶଂସା
ତେବେ ଏନେଇ କୋରାଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି,"ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ କରାଯାଉଛି । ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ଦିନ । ଏହା ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଏହି ଅବସରରେ ପଚ୍ଛିକୋଟ ଜଗନ୍ନାଥ ମନ୍ଦିରରେ ଯଜ୍ଞ ଚାଲିଛି । ଏହି ଯଜ୍ଞରେ ହଜାର ହଜାର ଭକ୍ତ ଯୋଗଦାନ କରି ଉତ୍ସାହିତ ଅଛନ୍ତି ।"
ଇଟିଭି ଭାରତ, ଯାଜପୁର