ଯାଜପୁର: ରାତି ପାହିଲେ ଦୀପାବଳି । ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ପରେ ଆନନ୍ଦ ଉତ୍ସାହର ସହ ସମସ୍ତେ କାଳୀପୂଜା ପାଳନ କରିବେ । ଏନେଇ ପୁରଠୁ ପଲ୍ଲୀ ସବୁ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ଫିକା ପଡିଛି ଅଫଲାଇନ୍ ବ୍ୟବସାୟ । ସାଧାରଣତଃ ପାର୍ବଣ ସମୟରେ ଗ୍ରାହକ ବିଭିନ୍ନ ଜିନିଷ କିଣାକିଣି କରିଥାନ୍ତି । ଏହି ସମୟରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମଧ୍ୟ ଅତି ଉତ୍କଣ୍ଠାର ସହ ଏହି ପୂଜାପର୍ବକୁ ଅନାଇ ବସିଥାନ୍ତି । ମାତ୍ର ଏବେ ଦୋକାନ ବଜାରରେ ଆଗଭଳି ଭିଡ ଦେଖିବାକୁ ମିଳୁନାହିଁ । ସବୁକିଛି ଖାଁ ଖାଁ ରହିଛି । ଆଜିକାଲି ସମସ୍ତେ ଅନଲାଇନ ସପିଂ ପ୍ରତି ଅଧିକ ଆକର୍ଷିତ ହେଉଥିବା ଯୋଗୁଁ ଅଫଲାଇନ ବ୍ୟବସାୟ ମାନ୍ଦା ପଡିଛି ।
ଏବେ ଦେଶରେ ବିଭିନ୍ନ ଇ-କମର୍ସ କମ୍ପାନୀ ମୁଣ୍ଡ ଟେକିଛନ୍ତି । ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମକୁ ଆକର୍ଷିତ କରିବାକୁ କମ୍ପାନୀଗୁଡିକ ଭଲ ରିହାତି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଉଛନ୍ତି । ସେହିପରି ନାନା ରକମର ମନ ପସନ୍ଦ ଜିନିଷ ମିଳିଯାଉ ଥିବାରୁ ପିଲାଠୁ ବୁଢା ଯାଏଁ ସମସ୍ତେ ଏହାପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି । ଅନ୍ୟପଟେ ଦିନକୁ ଦିନ ଅନଲାଇନ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଏଥିଯୋଗୁଁ ଅଫଲାଇନ ବ୍ୟବସାୟ ଖୁବ୍ ପ୍ରଭାବିତ ହୋଇଛି । ଲୁଗାପଟା ଠାରୁ ଆରମ୍ଭ କରି ଟେସନାରୀ ଓ ଇଲେକ୍ଟ୍ରୋନିକ୍ସ ଦୋକାନ ଯାଏଁ ସବୁଠି ଘାଟାରେ ଚାଲିଛି ବ୍ୟବସାୟ ।
ଦୁଇ ବର୍ଷ ହେଲାଣି କୋରୋନା ପାଇଁ ବନ୍ଦ ପଡିଥିଲା ଦୋକାନ ବଜାର । ପରେ କଟକଣା କୋହଳ ସହ ଭୁଶୁଡି ପଡିଥିବା ବ୍ୟବସାୟ ବି ଅଣ୍ଟା ସଳଖି ଥିଲା । ଆଶା ଥିଲା ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବ୍ୟବସାୟ ଭଲ ଜମିବ । ହେଲେ ଅନଲାଇନ ସପିଂ ଯୋଗୁଁ ସବୁ ଫସର ଫାଟିଛି । ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଉପକରଣ ଓ ଘରକରଣା ସାମଗ୍ରୀ ଇତ୍ୟାଦି ସବୁକିଛି ନାମୀଦାମୀ ଅନଲାଇନ୍ ସପିଂ ସାଇଟରେ ମିଳିଯାଉଛି । ଏଥିପାଇଁ ଲୋକେ ଦୋକାନକୁ ଯାଇ ଜିନିଷ କିଣିବାକୁ ମନ ବଳାଉ ନାହାଁନ୍ତି । ସମୟ ସହ ତାଳ ଦେଇ ଦିନକୁ ଦିନ ଅନଲାଇନ ସପିଂ କାରବାର ବୃଦ୍ଧି ପାଉଥିବା ବେଳେ ଭୁଷୁଡିବାକୁ ବସିଛି ଅଫଲାଇନ ବ୍ୟବସାୟ । ଯାହାକୁ ନେଇ ଏବେ ଆଶା ଆଶଙ୍କାରେ ବ୍ୟବସାୟୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ