ଯାଜପୁର: କୋରୋନା ଯୋଗୁଁ ମେଳା ମହୋତ୍ସବ ବନ୍ଦ ଥିବାରୁ ବୁଣାକାରମାନେ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିପାରୁନାହାଁନ୍ତି । ସରକାରୀ ପ୍ରତିଷ୍ଠାନ ମଧ୍ୟ ବସ୍ତ୍ର କିଣିବା ସମୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସରକାରୀ ସହାୟତା ପାଇଁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଜିଲ୍ଲାର ବ୍ୟାସନଗରଠାରେ ଅନୁଷ୍ଠିତ ସୋମବାର ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।
ରାଜ୍ୟରେ କୋରୋନା କଟକଣା ପାଇଁ ମେଳା ମହୋତ୍ସବ ଓ ପ୍ରଦର୍ଶନୀ ଆଦି ବନ୍ଦ ଥିବାରୁ ବୁଣାକାରମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରୁନାହାଁନ୍ତି । ବୁଣାକାରମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରତିଷ୍ଠାନ ବୟନିକା, ଉତ୍କଳିକା, ସେରିଫେଡ ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦି ବୁଣାକାରଙ୍କ ନିକଟରୁ ବସ୍ତ୍ର କିଣିବା ସମୟରେ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଏଥିସହିତ ବୁଣାକାରଙ୍କୁ ସରକାର ଦେଇଥିବା ପ୍ରତିଶୃତି ରକ୍ଷା କରୁନଥିବା ବେଳେ ବୁଣାକାର ସମାଜ ବିଭିନ୍ନ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ଜିଲ୍ଲାର ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମରେ 2500ରୁ ଊର୍ଦ୍ଧ୍ବ ବୁଣାକାର ବାସ କରନ୍ତି । ଗତ ଅଗଷ୍ଟ ମାସରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ବୁଣାକାରଙ୍କ ବିଭିନ୍ନ କ୍ଷତି ଘଟାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଆକଳନ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ବନ୍ୟା ବିପନ୍ନ ବୁଣାକାରଙ୍କୁ କ୍ଷତିପୂରଣ ମିଳିନାହିଁ । ସେହିଭଳି ବୁଣାକାର ବୀମା ଯୋଜନା ବନ୍ଦ କରି ଦିଆଯାଇଥିବା ବେଳେ ବୁଣାକାରଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ବୀମାକୁ ମଧ୍ୟ 6 ବର୍ଷ ଧରି ବନ୍ଦ କରିଦିଆଯାଇଛି ।
ସରକାର ବୁଣାକାରଙ୍କୁ ଅଣଦେଖା କରୁଥିବା ସହିତ ସରକାରୀ ସହାୟତାରୁ ବଞ୍ଚିତ କରିଥିବାରୁ ଓଡିଶା ଶିଳ୍ପୀ ମହାସଂଘ ଏହାକୁ ଦୃଢ ପ୍ରତିବାଦ କରିଛି । ତେବେ ଏହି ସମସ୍ୟାର ସମାଧାନ ନ କରାଗଲେ ଆଗକୁ ବୁଣାକାରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ