ଯାଜପୁର: କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । କେନ୍ଦ୍ରସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ନିଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ କାରଖାନା ସମ୍ମୁଖରେ ଧାରଣା ଦିଆଯାଇଛି । ଏଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଥିବା ଅଭିଯୋଗ କରିଛନ୍ତି ।
ଏହି ଆନ୍ଦୋଳନ ୩୫ ଦିନ ହେଲା ଚାଲିଥିବା ବେଳେ ଏହାକୁ ବିଭିନ୍ନ ଶ୍ରମିକ ସଂଗଠନ ମାନେ ନିଜର ସମର୍ଥନ ଜଣାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କ କୌଣସି ପ୍ରତିନିଧି ଆଲୋଚନାକୁ ଆସିନଥିବାରୁ ମିଳିତ ମଞ୍ଚ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।
ସେପଟେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଧାରଣାସ୍ଥଳରେ ପହଁଚି କେନ୍ଦ୍ରସରକାରଙ୍କ ଏଭଳି ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ରସରକାର ଏଭଳି ଏକ ସଂସ୍ଥାକୁ ଜାଣିଶୁଣି କ୍ଷତିରେ ଚଲାଇବା ପରେ ଏଭଳି ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ଦେଇଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରସରକାର ଯେଉଁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ତାକୁ ପୁନଃ ବିଚାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ