ଯାଜପୁର: ଯୌତୁକ ଲାଗି ନବବଧୂ ହତ୍ୟା ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଗଢିହ ଗ୍ରାମରେ । ମୃତକ ଜଣକ ମଙ୍ଗଳପୁର ଥାନା ବିରିପଟା ଗ୍ରାମର ଝାମିଆ ଜେନା (24) ବୋଲି ଜଣାପଡିଛି ।
ଗତ ଫେବୃଆରୀ ମାସରେ ବିଂଝାରପୁର ଥାନା ବଗଢିହ ଗ୍ରାମର ରାକେଶ ମହଲଙ୍କ ସହିତ ଝାମିଆଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ବର ପକ୍ଷକୁ ଯୌତୁକ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ଆଣିବା ଲାଗି ଝାମିଆ ଉପରେ ତାର ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।
ହେଲେ ଗତକାଲି ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଥିବା ତାଙ୍କ ଭାଇ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ବିଂଝାରପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ମୃତ୍ୟୁଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଏହି ଘଟଣାରେ ପୋଲିସ ମୃତକର ସ୍ବାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ