ଯାଜପୁର: ଫ୍ୟାନରେ ରଶି ଲଗାଇ ନବଦମ୍ପତିଙ୍କ ଆତ୍ମହତ୍ୟା । ଯାଜପୁର ରୋଡ ଦଳା ଶିବମନ୍ଦିର ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଦମ୍ପତି ହେଉଛନ୍ତି ବାଲେଶ୍ବରର ଶଙ୍କର ଦୟାଲ ନାୟକ ଏବଂ ତାଙ୍କ ପତ୍ନୀ ରଞ୍ଜିତା । ମୃତ ଶଙ୍କରଦୟାଲ କଳିଙ୍ଗନଗରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ଗତ ୪ ମାସ ତଳେ ଶଙ୍କରଦୟାଲ ବିବାହ କରିଥିବା ବେଳେ ଆଜି ସକାଳୁ ଭଡା ଘରେ ରଶି ଲଗେଇ ଆତ୍ମହତ୍ୟା କରିଥିଲେ ଦମ୍ପତି । ତେବେ କେଉଁ କାରଣରୁ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ''ଗତକାଲି( ଶନିବାର) ରାତିରେ ନବଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ଆଜି ସକାଳେ ମହିଳାଙ୍କ ସ୍ୱାମୀ ମାର୍କେଟକୁ ପରିବା କିଣିବାକୁ ଯାଇ ଫେରିବା ପରେ ପତ୍ନୀ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ । ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖି ସହ୍ୟ କରି ପାରିନଥିଲେ । ଏହାପରେ ଶଙ୍କରଦୟାଲ ଘରର ଭିତର ପଟୁ କବାଟ ଦେଇ ସେ ମଧ୍ୟ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ'' ।
ଇଟିଭି ଭାରତ, ଯାଜପୁର