ଯାଜପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ବ୍ୟାଗ ଭିତରୁ ଜୀବିତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ବାଇପାସ ରାସ୍ତା କଡ଼ରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁ କନ୍ୟାଟିକୁ ବଡ଼ଚଣା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଛନ୍ତି ଗୋବିନ୍ଦ ଚନ୍ଦ୍ର ବରାଳ ।
ସୂଚନା ମୁତାବକ, ବଡ଼ଚଣା ବ୍ଲକ ଖଇରା ଗ୍ରାମର ଗୋବିନ୍ଦ ଚନ୍ଦ୍ର ବରାଳ ୧୬ନଂ ଜାତୀୟ ରାଜପଥ ଦେଇ ଛତିଆ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ବାଇପାସ ରାସ୍ତା କଡ଼ରେ ଛୁଆର କାନ୍ଦ ଶୁଣି ଅଟକିଥିଲେ । ତେବେ ସେଠାରେ ରହିଥିବା ଏକ ବ୍ୟାଗ ଭିତରୁ ଛୁଆର କାନ୍ଦ ଶବ୍ଦ ଶୁଣିବା ପରେ ବ୍ୟାଗ ଖୋଲିଥିଲେ । ବ୍ୟାଗରେ ଏକ ନବଜାତ ଶିଶୁ କନ୍ୟା ରହିଥିବା ଦେଖି ତତକ୍ଷଣାତ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିଶୁଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସେପଟେ ଏହି ଶିଶୁ କନ୍ୟାକୁ କିଏ ଓ କେଉଁ ପରିସ୍ଥିତିରେ ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ବଡ଼ଚଣା ପୋଲିସ ଘଟଣାର ତଦନ୍ତି ଜାରି ରଖିଛି । ପ୍ରକାଶଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।
ଇଟିଭି ଭାରତ, ଯାଜପୁର