ଯାଜପୁର: ବାପା ଆରପାରିକୁ ଚାଲିଗଲା ପରେ ଶିଶୁମାନେ ହୋଇଗଲେ ବେସାହାରା । ଆଈ ପାଖରେ ରହି ବହୁ ଦୁଃଖକଷ୍ଟରେ ଦିନ କାଟୁଥିଲେ । ଭିନ୍ନକ୍ଷମ ବିଧବା ମା ପିଲାଙ୍କ ରକ୍ଷଣାବେକ୍ଷଣ କରିବା କିମ୍ବା ସେମାନଙ୍କ ଯତ୍ନ ନେବା କଷ୍ଟସାଧ୍ୟ ହୋଇପଡିଲା । ଶେଷରେ ନିରୁପାୟ ହୋଇ ମା ମଙ୍ଗଳବାର ତାଙ୍କ 3ଟି ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କଲେ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ପୌରାଞ୍ଚଳର ପଦ୍ମପୁର ଅଞ୍ଚଳରେ । ଏହା ହେଉଛି ଏକ ଦଳିତ ପରିବାରର ଘଟଣା । ମହିଳାଙ୍କର ଅଛନ୍ତି 5 ପୁଅ ଝିଅ । ପରିବାରରେ ସ୍ବାମୀ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେବେ ସ୍ବାମୀଙ୍କୁ ହରାଇବା ପରେ ମହିଳା ଜଣକ ଏବେ କିଂକର୍ତ୍ତବ୍ୟ ବିମୂଢ ହୋଇଗଲେ । ପିଲାମାନଙ୍କ ଲାଳନପାଳନ, ଖାଦ୍ୟପେୟ, ପୋଷାକ, ପାଠପଢା ସବୁକିଛି ପାଇଁ ମା ଲାଚାର ହୋଇଗଲେ । ମାଗିଯାଚି ବା କେତେଦିନ କଣ କରିପାରିବେ । ଶେଷରେ ମହିଳା ଜଣକ ବାଧ୍ୟହୋଇ 3ଟି ଶିଶୁଙ୍କୁ ନେଇଯିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନିକଟରେ ଆପତ୍ତି ଜଣାଇଥିଲେ ।
ଆଜି ଶିଶୁ ସୁରକ୍ଷା ଡେସ୍କ ଓ ଚାଇଲ୍ଡ ଲାଇନର ସଦସ୍ୟମାନେ ଏଠାରେ ପହଞ୍ଚି ଶିଶୁ ତିନୋଟିଙ୍କୁ ଉଦ୍ଧାର କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତାନ୍ତର କରିଥିବା ଜଣାପଡିଛି । ସେଠାରେ ଶିଶୁମାନଙ୍କୁ ବାଳାଶ୍ରମରେ ରଖାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ଓ ସଦସ୍ୟ ମାନେ ମନ୍ତବ୍ୟ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ