ଯାଜପୁର: ନାବାଳିକାକୁ ଅପହରଣ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ହୋଇଥିବା ଅଭିଯୋଗ । ଅପହରଣର ୪ ଦିନ ପରେ ନାବାଳିକାକୁ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ। ନାବାଳିକା ଜଣକ ୧୪ ତାରିଖ ରାତିରେ ଚଣ୍ଡିଖୋଲ ଯାଇ ଆଉ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ଧର୍ମଶାଳା ଥାନାରେ ଏନେଇ କରିଥିଲେ ଲିଖିତ ଅଭିଯୋଗ।
ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ପରେ ଦୁର୍ବୃତ୍ତ ମାନେ ନାବାଳିକାକୁ ରାସ୍ତାରେ ଫିଙ୍ଗି ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ ନାବାଳିକାକୁ ଉଦ୍ଧାର କରିବା ସମୟରେ ସେ ନିଶାଶକ୍ତ ଅବସ୍ଥାରେ ଥିଲେ । ଏଥିପାଇଁ ତାଙ୍କୁ ଯାଜପୁର ସଖୀ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି । ନାବାଳିକା ଜଣକ ଦେଇଥିବା ବୟାନ ଅନୁଯାୟୀ ମିଟୁ ଓ ପିଣ୍ଟୁ ନାମକ ଦୁଇ ଯୁବକ ଏହି ଅପହରଣରେ ସାମିଲ ଅଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ରଖୁଥିଲେ । ବିଭିନ୍ନ ସ୍ଥାନକୁ ନେବା ବେଳେ ଆଖିରେ କଳାପଟି ବାନ୍ଧି ନେଉଥିବା କହିଛନ୍ତି ନାବାଳିକା।
ଏହାସହ ଖାଇବା ପାଇଁ କେବଳ ମିଠା ଦେଉଥିଲେ । ଖାଇବା ପରେ ସେ ଚେତାଶୂନ୍ୟ ହୋଇପଡୁଥିଲେ । ଏହି ଅପହରଣରେ କେତେକ ମହିଳା ମଧ୍ୟ ସାମିଲ ଥିବା ନାବାଳିକା ଜଣକ ସଖୀ କେନ୍ଦ୍ରର ପରିଚାଳିକାଙ୍କୁ ବୟାନ ଦେଇଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେଉଁ ଗୋଟିଏ ସ୍ଥାନରେ ନାବାଳିକାଙ୍କୁ ରଖାଯାଇଥିଲା ସେହି ଘରର ଉପର ମହଲାରେ କେତେକ ପୋଲିସ ମଧ୍ୟ ରହୁଥିଲେ । ତେଣୁ ଏହି ଘଟଣାରେ କୌଣସି ପୋଲିସ କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି । ନାବାଳିକା ଜଣକ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପ୍ରତିଦିନ ସକାଳୁ ତାଙ୍କ ଦେହରେ ପୋଷାକ ନଥିବା ବେଳେ ତାଙ୍କୁ ଗାଧୋଇ ଦିଆଯାଉଥିଲା ଏବଂ ନୂଆ ଡ୍ରେସ ପିନ୍ଧିବାକୁ ଦିଆଯାଉଥିଲା । ତେବେ ଏହି ଘଟଣାରେ ମୁଁହ ନ ଖୋଲିବାକୁ ପିଡିତାଙ୍କୁ ଦୁର୍ବୃତ୍ତମାନେ ଧମକ ଚମକ ମଧ୍ୟ ଦେଇଛନ୍ତି । ତେବେ ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ