ଯାଜପୁର: ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଲା ପୁଅ । ଯିବା ଦିନ ଠାରୁ ଦିନ ରାତି ଏକ କରି ଖୋଜୁଥିବା ପରିବାର ବର୍ଗ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଯାଜପୁର ଜିଲ୍ଲା କୋରେଇ କନ୍ତର ଗାଁରୁ ନିଖୋଜ ହୋଇଯାଇଥିବା ମଦନ ଖଟୁଆଙ୍କୁ ପଶ୍ଚିମବଙ୍ଗର ବାଙ୍କୁଡାରୁ ଉଦ୍ଧାର କରାଯାଇଛି । ଫଳରେ ଗାଁରେ ସୃଷ୍ଟି ହୋଇଛି ଖୁସିର ମାହୋଲ ।
ଯାଜପୁର କୋରେଇ ବ୍ଲକ କନ୍ତୋର ପଞ୍ଚାୟତର ପୋଡ଼ାତେନ୍ତୁଲି ଗାଁର ମଦନ ଖଟୁଆ ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଛନ୍ତି । ସେ ଘରକୁ ଫେରିବା ପରେ ଗାଁରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ୧୨ ବର୍ଷ ତଳେ ବୋଲବମ ଯାଇ ନିଖୋଜ ହୋଇଯାଇଥିଲେ ମଦନ । ଏହାପରେ ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ରାଜ୍ୟ ଓ ରାଜ୍ୟ ବାହାରେ ଖୋଜାଖୋଜି କରି ବିଫଳ ହୋଇଥିଲେ।
କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର କିଛି ସତସଙ୍ଗ ପ୍ରେମୀ ପଶ୍ଚିମବଙ୍ଗ ବାଙ୍କୁଡ଼ା ଅଞ୍ଚଳ ଯାଇଥିବା ବେଳେ ମଦନଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ପଚରା ଉଚୁରା କରିବା ପରେ ସେମାନେ ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ସେମାନେ ମଦନଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ । କୋରେଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନର ସହଯୋଗ ନେଇ ତାଙ୍କୁ ବାଙ୍କୁଡାରୁ ଉଦ୍ଧାର କରିଥିଲେ ।
ତେବେ ଘରେ ପହଞ୍ଚିବା ପରେ ମଦନଙ୍କ ପରିବାର ଲୋକଙ୍କ ସମେତ ସତସଙ୍ଗ ପ୍ରେମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅନ୍ୟପଟେ ମଦନଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ସେ ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । ତାଙ୍କର ଚିକିତ୍ସା କରାଯିବ ବୋଲି ପରିବାର ଵର୍ଗ ସୂଚନା ଦେଇଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ