ଯାଜପୁର: ଅଗ୍ନିଶମ କର୍ମଚାରୀଙ୍କ ସାହସିକ ପଦକ୍ଷେପ ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚିଗଲା ଜଣଙ୍କ ଜୀବନ । ଏମତି ଘଟଣା ଘଟିଛି ଯାଜପୁର ଜିଲ୍ଳା ଧର୍ମଶାଳା ଥାନା ଉତ୍ତରପ୍ରତାପ ଗାଁରେ । ପରିତ୍ୟକ୍ତ କୂଅରୁ ଜଣଙ୍କୁ ଅଗ୍ନିଶମ ଉଦ୍ଧାର କରିଛି ।
ଉତ୍ତରପ୍ରତାପ ଗାଁର କଣ୍ଡୁରୀ କୁଣ୍ଡୁଙ୍କ ପୁଅ ଜଗବନ୍ଧୁ(୫୫) ଅସାବଧାନତା ବଶତଃ ଗାଁର ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲେ । ଏ ସମ୍ପର୍କରେ ଗାଁ ଲୋକଙ୍କଠାରୁ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ ଓ ତାଙ୍କ କର୍ମଚାରୀମାନେ ଉତ୍ତରପ୍ରତାପ ଗାଁରେ ପହଞ୍ଚିଥିଲେ ।
ଦୀର୍ଘ ଏକ ଘଣ୍ଟାର ପରିଶ୍ରମ କରି ଜଗବନ୍ଧୁଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ । ଦୀର୍ଘ ୩୫ଫୁର ଗଭୀର କୂଅ ଭିତରେ ଅମ୍ଳଜାନ ନଥିବାରୁ ଅଗ୍ନିଶମ କର୍ମଚାରୀ ନିରଞ୍ଜନ ମାନସିଂହ ଓ ବିଜୟ ଦାସ ସାହସିକତାର ସହିତ କୂଅରୁ ଜଗବନ୍ଧୁଙ୍କୁ ଉଦ୍ଧାର କରିବା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ପରେ ସମସ୍ତଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥହେବା ପରେ ଘରକୁ ଫେରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ