ଯାଜପୁର: ପ୍ରେମିକ ପାଇଁ ମହଙ୍ଗା ପଡିଲା ଏକତରଫା ପ୍ରେମ ନିଶା । ପ୍ରେମିକ ସାଜିଲା ହତ୍ୟାକାରୀ। ପ୍ରେମିକା ବାହାହେବା ପରେ ତାର ଶ୍ବଶୁରକୁ ହତ୍ୟା କଲା ଅଭିଯୁକ୍ତ ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ବାଲିପଶି ଗାଁରେ ।
ସକାଳୁ ସକାଳୁ ଗାଁର ବାଉଁଶବୁଦା ନିକଟରୁ ମିଳିଥିଲା ବାଲିପଶି ଗାଁର ଶରତ ଚନ୍ଦ୍ର ଧଳଙ୍କ ମୃତଦେହ। ସୂଚନା ମୁତାବକ ନିକଟରେ ଶରତ ତାଙ୍କ ସାନ ପୁଅକୁ ବାହାଦେଇଥିଲେ। ହେଲେ ଏହି ବିବାହ ପୂର୍ବରୁ ଅବିନାଶ ନାମକ ଏକ ଯୁବକ ଶରତଙ୍କ ସାନବୋହୁଙ୍କୁ ପ୍ରେମ କରୁଥିଲେ। ଏଥିପାଇଁ ସେ ପ୍ରତିହିଂସା ପରାୟଣ ହୋଇ ଉଠିଥିଲା। ଶରତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲା ଅବିନାଶ।
ଶେଷରେ ମଙ୍ଗଳବାର ରାତିରେ ଅବିନାଶ ଶରତଙ୍କୁ ହତ୍ୟା କରି ବାଉଁଶ ବୁଦାରେ ମୃତଦେହ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ସେପଟେ ଘଟଣାର ଅଭିଯୁକ୍ତ ଅବିନାଶ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି। ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ