ଯାଜପୁର: ପ୍ରେମୀ ଯୁଗଳଙ୍କୁ ଥାନାରେ ହାତକୁ ଦି ହାତ କଲା ପୋଲିସ (couple tied the knot in police station) । ଏ ଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନାରେ (Kaliapani Police Station) । ଆଜି ପୋଲିସ ଏକ ପ୍ରେମୀ ଯୁଗଳଙ୍କୁ ବାହାଘର କରାଇଛି, ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ କାଳିଆପାଣି ଗାଁର ଆଦିବାସୀ ଝିଅ ଗୀତା ବେହେରା ତାଙ୍କ ମାମୁଁଘର କାଦୁଅବନ୍ଦୀ ଯାଇଥିବା ସମୟରେ ଗୋଆରେ ଚାକିରୀ କରି ଫେରିଥିବା ଭବାନୀଙ୍କ ସହ ତାଙ୍କର ପ୍ରଥମ ଦେଖାରୁ ପ୍ରେମ ହୋଇଥିଲା । ସେଦିନରୁ ଉଭୟଙ୍କ ମଧ୍ୟରେ ଭଲ ପାଇବା ସମ୍ପର୍କ ଗଢି ଉଠିଥିଲା । ଗତ ସେପ୍ଟେମ୍ବର ୪ ତାରିଖରେ ଏହି ପ୍ରେମୀ ଯୁଗଳ ଘରୁ ଲୁଚି ଟ୍ରେନରେ ଗୋଆ ପଳାଇଥିଲେ। ସେଠାରେ ଗୋଟିଏ ଘରେ ଏକାଠି ୩ ମାସ ରହଣି ମଧ୍ୟରେ ଗୀତା ବାରମ୍ବାର ରେଜିଷ୍ଟ୍ରି ବାହାଘର ପାଇଁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଏକାଧିକ ବାର ମତାନ୍ତର ଓ ମନାନ୍ତର ହୋଇଥିଲା।
ଗତ ୨୦ ତାରିଖରେ ଗୀତାଙ୍କ ଭିଣେଇ ଘର କାମାକ୍ଷାନଗର କୋର୍ଟରେ ଉଭୟଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଉଭୟ ସେଦିନ ସକାଳେ କାମାକ୍ଷାନଗର ବସ ଷ୍ଟାଣ୍ଡରେ ପହଞ୍ଚିଥିଲେ। ପାଖରେ ଥିବା ଏଟିଏମରୁ ଟଙ୍କା ଉଠାଇ ଆଣିବାକୁ କହି ଭବାନୀ ତାଙ୍କ ଫୋନ୍ ସୁଇଚ୍-ଅଫ୍ କରି ସେଠାରୁ ପଳାଇ ଯାଇଥିଲେ । ନିରାଶ ହୋଇ ଗୀତା ଭିଣେଇ ଘର ହୋଇ ନିଜ ଘରକୁ ଫେରିଆସିଥିଲେ। ଏହା ପରେ ସେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏତଲା ଦେଇନଥିଲେ, ମାମଲା ରୁଜୁ କଲେ ପ୍ରେମିକ ଜେଲ ଯିବା ନିଶ୍ଚିନ୍ତ ଜାଣି ଏହାର ସମାଧାନ ପାଇଁ ପୋଲିସ ହସ୍ତକ୍ଷେପ ଲୋଡିଥିଲେ ।
ପୋଲିସ ପକ୍ଷରୁ ଭବାନୀଙ୍କ ବାପା ବାବୁଲି ନାୟକଙ୍କ ଉପରେ ଚାପ ପକାଯାଇଥିଲା । ୮ ଦିନ ପରେ ଆଜି ପୁଅକୁ ସାଥିରେ ଧରି ଭବାନୀଙ୍କ ବାପା ଥାନାରେ ପହଞ୍ଚିଥିଲେ, ଗୀତାଙ୍କ ବୋହୂ କରି ନେବାରେ ତାଙ୍କର କିମ୍ବା ପୁଅର କୌଣସି ଆପତ୍ତି ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ । ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ତୁରନ୍ତ ବିବାହ ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ଏଏସ୍ଆଇ ତ୍ରିଲୋଚନ ସାହୁଙ୍କ ତତ୍ତ୍ଵାବଧାନରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିବାହକୁ ଦେଖି ଦୁଇ ସମୁଦି ବାବୁଲି ନାୟକ ଓ ରମାକାନ୍ତ ବେହେରା ପରସ୍ପରକୁ ବନ୍ଧୁ ସ୍ବୀକାର କରିଥିଲେ। ଏଭଳି ଏକ ନିଆରା ବିହାଘରକୁ ଅନେକ ଆଡୁ ଢେର ସାରା ପ୍ରଶଂସା କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ