ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ ପଦକ୍ଷେପ । ମଙ୍ଗଳବାର ଠାରୁ ରାଜ୍ୟର ୧୫ଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କଲେ ସରକାର । ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଆଗୁଆ ସତର୍କ କରିଦିଆଯାଇଛି। ଏଥିପାଇଁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୋମବାର ରାତିରେ ଯାଜପୁର ରୋଡ ଓ କଳିଙ୍ଗନଗରର ଶିଳ୍ପାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।
ମଙ୍ଗଳବାର ଠୁ ସପ୍ତାହେ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହିତ ଲୋକମାନେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଭାରତୀୟ ପିଙ୍ଗଳ କୋର୍ଡ ୧୮୮ ଧାରା ଅନୁଯାୟୀ ଆଇନ୍ ଅବମାନନା କରିଥିବା ୧୪ଜଣଙ୍କୁ ନୋଟିସ୍ ମଧ୍ୟ ଜାରି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଏହାକୁ ବେଖାତିର କରୁଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ମଧ୍ୟ କହିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ଏଥିପାଇଁ କଠୋର ପଦକ୍ଷେପ ନିଆଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ